ନୂଆଦିଲ୍ଲୀ,୨୯ା୧୨(ଡି.ଏଚ): କଂଗ୍ରେସର ୧୩୫ତମ ପ୍ରତିଷ୍ଠା ଦିବସ ଅବସରରେ ଦଳର ନେତା ରାହୁଲ ଗାନ୍ଧୀ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍ପିଆର୍) ଏବଂ ପ୍ରସ୍ତାବିତ ଜାତୀୟ ନାଗରିକ ପଞ୍ଜିକା (ଏନ୍ଆର୍ସି)କୁ ସମାଲୋଚନା କରି ଏହାକୁ ସେ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ନୋଟବନ୍ଦୀ ବୋଲି କହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ ବିମୁଦ୍ରୀକରଣଠାରୁ ଆହୁରି ଭୟାବହ ସ୍ଥିତି ସୃଷ୍ଟିହେବ ବୋଲି ସେ ସତର୍କ କରାଇଦେଇଛନ୍ତି।
ଏନ୍ପିଆର୍ ଏବଂ ଏନ୍ଆର୍ସି ବିରୋଧରେ କଂଗ୍ରେସ ପକ୍ଷରୁ ଶନିବାର ଦେଶବ୍ୟାପୀ ‘ସମ୍ବିଧାନ ବଞ୍ଚାଅ, ଭାରତ ବଞ୍ଚାଅ’ ବାର୍ତ୍ତା ନେଇ ଫ୍ଲାଗ୍ମାର୍ଚ୍ଚ କରାଯାଇଥିଲା। ଦିଲ୍ଲୀ, ମୁମ୍ବାଇ, କୋଲକାତା, ଜୟପୁରଠାରୁ ଆରମ୍ଭ କରି ବିଭିନ୍ନ ସହରରେ ହଜାର ହଜାର କଂଗ୍ରେସ କର୍ମୀ ଓ ନେତା ସରକାରଙ୍କ ଜନବିରୋଧୀ ନୀତିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ। ସରକାରଙ୍କ ସଂଶୋଧିତ ନାଗରିକତ୍ୱ ଆଇନ, ଏନ୍ପିଆର୍ ଏବଂ ଏନ୍ଆର୍ସିକୁ କଂଗ୍ରେସ ନେତାମାନେ ଜୋର୍ଦାର ସମାଲୋଚନା କରିଥିଲେ। ଦେଶର ସମସ୍ତ ଗରିବ ଭାରତୀୟ କି ନୁହନ୍ତି ପଚାରିବା କଂଗ୍ରେସ ଫ୍ଲାଗ୍ମାର୍ଚ୍ଚର ମୂଳ ଉଦ୍ଦେଶ୍ୟ। ବିମୁଦ୍ରୀକରଣକୁ ନେଇ ସାରା ଦେଶର ଜନସାଧାରଣ ହଇରାଣ ହେଉଥିବାବେଳେ ମୋଦିଙ୍କର କେତେଜଣ ଘନିଷ୍ଠ ବ୍ୟବସାୟୀ ଏହାର ଫାଇଦା ଉଠାଇଥିଲେ। ଏନ୍ପିଆର୍ ଏବଂ ଏନ୍ଆର୍ସି କାର୍ଯ୍ୟକାରୀ ହେଲେ ସ୍ଥିତି ଆହୁରି ଭୟାବହ ହୋଇପଡ଼ିବ ବୋଲି ରାହୁଲ କହିଛନ୍ତି।


















