ନୂଆଦିଲ୍ଲୀ,୨୪/୧୨,(ଡି.ଏଚ): କେନ୍ଦ୍ର କ୍ୟାବିନେଟ ଆଜି ଚିଫ ଅଫ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ତିନି ବାହିନୀ ମୁଖ୍ୟ ପଦବୀ ସୃଷ୍ଟି କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ମଞ୍ଜୁରୀ ଦିଆଯାଇଛି ।
ସିଡିଏସ ଏକ ୪-ଷ୍ଟାର ପଦବୀ ହେବ । ସିଡିଏସ୍ ତିନି ବାହିନି ମଧ୍ୟରେ ଯୋଗସୁତ୍ର ରକ୍ଷା କରିବ ଓ ସରକାରଙ୍କୁ ସାମରିକ ମାମଲାରେ ଜରୁରୀ ପରାମର୍ଶ ଦେବେ । ସେ ନବଗଠିତ ସାମରିକ ବ୍ୟାପାର ବିଭାଗର ମୁଖ୍ୟ ହେବେ । କାରଗିଲ ଯୁଦ୍ଧ ପରେ ଗଠିତ କେ.ସୁବ୍ରମଣ୍ୟମ (ବର୍ତ୍ତମାନର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ପିତା) କମିଟି ଦ୍ୱାରା ଏହି ପଦବୀ ଗଠନ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏହି ସୁପାରିଶର ୨୦ ବର୍ଷ ପରେ ସରକାର ତାହାକୁ ପାଳନ କରିଛନ୍ତି । ଗତ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲା ପ୍ରାଚୀରରୁ ଜାତି ଉଦ୍ଦେଶ୍ୟରେ ଭାଷଣ ଦେବା ଅବସରରେ ତିନି ସେନାର ଜଣେ ମୁଖ୍ୟ ବା ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ରହିବେ ବୋଲି ଘୋଷଣା କରିଥିଲେ । ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନର ସେନାମୁଖ୍ୟ ଜେନେରାଲ ବିପିନ ରାଓ୍ଵତ୍ ଦେଶର ପ୍ରଥମ ସିଡିଏସ୍ ହୋଇପାରନ୍ତି ।

















