ନୂଆଦିଲ୍ଲୀ,୧୪/୧୨(ଡି.ଏଚ): ଗତ ମାସ ୧୮ ତାରିଖରୁ ଆରମ୍ଭ ହୋଇଥିବା ସଂସଦର ଶୀତକାଳୀନ ଅଧିବେଶନ ଆଜି ଶେଷ ହୋଇଛି। ଏହି ସଂକ୍ଷିପ୍ତ ଶୀତକାଳୀନ ଅଧିବେଶନର ୨୦ଟି କାର୍ଯ୍ୟଦିବସରେ ଓଡିଶାର ସାଂସଦମାନେ ଗୃହର କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଯୋଗଦାନ କରିଥିବାବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜୁ ଜନତା ଦଳ (ବିଜେଡି) ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ଥିଲା। ବିଭିନ୍ନ ବିଲ୍କୁ ପାରିତ କରିବାରେ ଏହି ଦଳ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା।
ଏହି ସମୟରେ ରଜ୍ୟସଭାର ୨୫୦ତମ ଅଧିବେଶନ ଥିଲା ଏକ ଉଲ୍ଲେଖନୀୟ ଘଟଣା। ଐତିହାସିକ ଅଧିବେଶନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଅଭିଭାଷଣରେ ଏନ୍ସିପି ସହିତ ବିଜେଡି ସାଂସଦଙ୍କ ଶୃଙ୍ଖଳିତ ଆଚରଣକୁ ଭୁରିଭୁରି ପ୍ରଶଂସା କରିଥିଲେ। ଯାହାକି, ଏକ ଚର୍ଚ୍ଚାର ବିଷୟ ଥିଲା। ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟ ପରେ ଉଭୟ ବିଜେପି ଓ ବିଜେଡି ପରସ୍ପରର ନିକଟତର ହେଉଛନ୍ତି ବୋଲି ବିରୋଧୀମାନେ ଅଭିଯୋଗ କରିବା ପାଇଁ ପଛାଇ ନଥିଲେ।

















