ନୂଆଦିଲ୍ଲୀ,୮/୧୨ (ଡି.ଏଚ) : ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ଘଟଣାକୁ ନେଇ ଦେଶବ୍ୟାପୀ କ୍ରୋଧ ଏବଂ ଅସନ୍ତୋଷ ଦେଖିବାକୁ ମିଳିଛି। ଦିଲ୍ଲୀରୁ ଲକ୍ଷ୍ନୌ ପର୍ଯ୍ୟନ୍ତ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ହୋଇଛି। ହାଇଦ୍ରାବାଦ ଭଳି ଉନ୍ନାଓ ଅଭିଯୁକ୍ତମାନଙ୍କୁ ମଧ୍ୟ ଏନ୍କାଉଣ୍ଟର କରି ମାରି ଦିଆଯାଉ ବୋଲି ଦାବି ହୋଇଛି। ରାଜ୍ୟ ସରକାରଙ୍କର ଦୁଇ ଜଣ ମନ୍ତ୍ରୀ ଏବଂ ଜଣେ ବିଜେପି ସାଂସଦ ଆଜି ଉନ୍ନାଓ ଯାଇଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କର ବିରୋଧ କରିବା ସହିତ ଧସ୍ତାଧସ୍ତି କରିଛନ୍ତି। ଏହାକୁ ନେଇ ସମଗ୍ର ଅଞ୍ଚଳରେ ପ୍ରବଳ ଉତ୍ତେଜନା ଲାଗି ରହିଛି।
ଉନ୍ନାଓ ପୀଡ଼ିତା ୪୦ ଘଣ୍ଟାର ସଂଘର୍ଷ ପରେ ଗତ ରାତି ୧୧ଟା ୪୦ରେ ଦିଲ୍ଲୀର ସଫ୍ଦରଜଙ୍ଗ ହସ୍ପିଟାଲରେ ଆଖି ବୁଜି ଦେଇଥିଲେ। ଏହି ଘଟଣାକୁ ନେଇ ଆଜି ସନ୍ଧ୍ୟାରେ ଦିଲ୍ଲୀରେ ରାଜଘାଟରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ କ୍ୟାଣ୍ଡଲ୍ ଶୋଭାଯାତ୍ରା ବାହାରିଥିଲା। ଦିଲ୍ଲୀରେ ବିକ୍ଷୋଭକାରୀମାନେ ପୁଲିସ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିବାରୁ ପୁଲିସ ପାଣି ମାଡ଼ କରିଥିଲା। ପୁଲିସ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ଯୋଗୁଁ କେତେକ ଯୁବତୀ ଏଥିରେ ଆହତ ହୋଇଥିବା ଦେଖିବାକୁ ମିଳିଥିଲା।


















