ମୋର୍ଗାନ୍‌ଙ୍କ ୧୭ଟି ଛକା ରଖିଲା ବିଶ୍ୱରେକର୍ଡ

304
ADVERTISEMENT

ନୂଆଦିଲ୍ଲୀ,୧୯/୬(ଏଜେନ୍ସି):ଆଫ୍‌ଗାନିସ୍ତାନ ବିପକ୍ଷ ବିଶ୍ୱକପ୍ ମ୍ୟାଚ୍‌ରେ ସର୍ବାଧିକ ଛକା ମାରିବାର ନୂତନ ବିଶ୍ୱରେକର୍ଡ ପ୍ରତିଷ୍ଠା କରିଛନ୍ତି ଇଂଲଣ୍ଡ ଅଧିନାୟକ ଇଓନ ମୋର୍ଗାନ୍। ମୋର୍ଗାନ୍ ତାଙ୍କ ଶତକୀୟ ଇନିଂସରେ ୧୭ଟି ଛକା ମାରିଥିଲେ। ଏହା ଏକ ବିଶ୍ବରେକର୍ଡ। ତାଙ୍କ ପୂର୍ବରୁ ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ରୋହିତ ଶର୍ମା, ୨୦୧୫ରେ ଜୋହାନସବର୍ଗରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲିଅର୍ସ ଓ ୨୦୧୫ରେ କାନ୍‌ବେରାରେ ଜିମ୍ବାୱେ ବିପକ୍ଷରେ ୱେଷ୍ଟଇଣ୍ଡିଜ୍‌ର କ୍ରିସ୍ ଗେଲ୍‌ ଏକ ଦିନିକିଆ ଇନିଂସରେ ସର୍ବାଧିକ ୧୬ଟି ଲେଖାଏଁ ଛକା ମାରି ମିଳିତ ଭାବେ ଏହି ବିଶ୍ୱରେକର୍ଡର ଅଧିକାରୀ ଥିଲେ। ତେବେ ମଙ୍ଗଳବାର ଆଫ୍‌ଗାନିସ୍ତାନ ବିପକ୍ଷ​‌ରେ ତାଙ୍କ ବିଧ୍ୱଂସି ଇନିଂସରେ ଉପରୋକ୍ତ ୩ ବ୍ୟାଟ୍‌ସମ୍ୟାନଙ୍କୁ ଅତିକ୍ରମ କରି ଇଓନ୍ ମୋର୍ଗାନ୍ ୧୭ଟି ଛକା ମାରିଛନ୍ତି। ଏହି ଇନିଂସରେ ମାତ୍ର ୧୭ ଓଭର କ୍ରିଜ୍‌ରେ ରହି ୭୧ଟି ବଲ୍‌ ଖେଳି ୧୭ଟି ଛକା ଓ ୪ଟି ଚୌକା ସହ ୧୪୮ ରନ୍ କରିଥିଲେ। କେବଳ ଛକାରେ ମୋର୍ଗାନ୍ ଶତକ (୧୭x୬=୧୦୨ ରନ୍) ମାରିଥିଲେ। ପୁଣି ବିଶ୍ୱକପ୍‌ର ଏକ ଇନିଂସରେ ସର୍ବାଧିକ ସଂଖ୍ୟକ ଛକା ମାରିବାର ରେକର୍ଡ ମଧ୍ୟ ମୋର୍ଗାନ୍ ସ୍ଥାପନ କରିଛନ୍ତି।

Advertisement