Wednesday, August 19, 2026
ADVERTISEMENT
Home ଜାତୀୟ ଏନ୍‌ସେଫାଲାଇଟିସ୍‌ ମୃତ୍ୟୁସଂଖ୍ୟା ୧୨୮

ଏନ୍‌ସେଫାଲାଇଟିସ୍‌ ମୃତ୍ୟୁସଂଖ୍ୟା ୧୨୮

299
ADVERTISEMENT

ପାଟନା,୧୯/୬(ଏଜେନ୍ସି): ବିହାରରେ ଆତଙ୍କ ସୃଷ୍ଟି କରିଥିବା ଏନ୍‌ସେଫାଲାଇଟିସ୍‌ ଜ୍ୱର (ଏଇଏସ୍‌)ରେ ମୃତ୍ୟୁସଂଖ୍ୟା ମଙ୍ଗଳବାର ୧୨୮ରେ ପହଞ୍ଚିଛି। କେବଳ ମୁଜାଫରପୁରର ଶ୍ରୀ କୃଷ୍ଣ ମେଡିକାଲ କଲେଜରେ ୮୯ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ କେଜ୍ରିୱାଲ ହସ୍ପିଟାଲରେ ୧୯ଜଣ ପ୍ରାଣ ହରାଇଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶ୍ରୀକୃଷ୍ଣ ମେଡିକାଲ କଲେଜରେ ଶଯ୍ୟା ସଂଖ୍ୟା ତୁରନ୍ତ ବୃଦ୍ଧି କରି ସମସ୍ତ ଆକ୍ରାନ୍ତ ଶିଶୁଙ୍କର ଜରୁରୀକାଳୀନ ଚିକିତ୍ସା ଜାରି ରଖିବାକୁ ନିର୍ଦେଶ ଦେଇଛନ୍ତି। ଏଠାରେ ଶଯ୍ୟାସଂଖ୍ୟା ୬୧୦ ଥିବାବେଳେ ଏହାକୁ ୨୫୦୦ ପର୍ୟ୍ୟନ୍ତ ବୃଦ୍ଧି କରିବାକୁ ସେ କହିଛନ୍ତି। ପ୍ରଥମ ପର୍ୟ୍ୟାୟରେ ତୁରନ୍ତ ୧୫୦୦ ଶଯ୍ୟା ବ୍ୟବସ୍ଥା କରିବାକୁ ସେ କହିଛନ୍ତି।

ଜ୍ୱର ବ୍ୟାପୁଥିବା ଅଞ୍ଚଳର ପରିବେଶ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ହସ୍ପିଟାଲ ପରିସରରେ ଆକ୍ରାନ୍ତ ଶିଶୁଙ୍କ ପରିବାରବର୍ଗ ଆଶ୍ରୟ ନେବା ପାଇଁ ଏକ ଧର୍ମଶାଳା ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଛନ୍ତି। ନୀତୀଶ ମେଡିକାଲରେ ଡାକ୍ତର ଓ ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ସହ ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କୁ ପ୍ରଭାବିତ ଅଞ୍ଚଳ ଗସ୍ତ କରି ଆକ୍ରାନ୍ତ ଶିଶୁଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ନିର୍ଦେଶ ଦେଇଛନ୍ତି। ଏଥିସହ ମୃତ ଶିଶୁଙ୍କ ପିଛା ସେମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି।

Advertisement