ନୂଆଦିଲ୍ଲୀ,୦୩/୧୧ (ଡି.ଏଚ) : ଦିଲ୍ଲୀର ତିସ୍ହଜାରୀ କୋର୍ଟରେ ଗାଡି ପାର୍କିଂକୁ କେନ୍ଦ୍ର କରି ଗତକାଲି ପୁଲିସ୍ ଓ ଓକିଲଙ୍କ ମଧ୍ୟରେ ଘଟିଥିବା ସଂଘର୍ଷର ବିଚାର ବିଭାଗୀୟ ତଦନ୍ତ ପାଇଁ ଆଜି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଦିଲ୍ଲୀ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏସ୍ପି ଗର୍ଗ ଏହି ବିଚାର ବିଭାଗୀୟ ତଦନ୍ତ କରିବେ ବୋଲି ମଧ୍ୟ କହିଛନ୍ତି ଦିଲ୍ଲୀ ହାଇକୋର୍ଟ। ଏହି ତଦନ୍ତ କାର୍ଯ୍ୟରେ ସିବିଆଇ ନିର୍ଦ୍ଦେଶକ, ଗୁଇନ୍ଦା ବ୍ୟୁରୋର ନିର୍ଦ୍ଦେଶକ ଓ ଭିଜିଲାନ୍ସ ବିଭାଗର ନିର୍ଦ୍ଦେଶକ କିମ୍ବା ସେହି ରାଙ୍କ୍ର ଅଧିକାରୀ ସହଯୋଗ କରିବେ।
ଏଥିସହ ଏହି ସଂଘର୍ଷରେ ସଂପୃକ୍ତ ଥିବା ସମସ୍ତ ପୁଲିସ୍ ଅଧିକାରୀଙ୍କୁ ତତ୍କ୍ଷଣାତ୍ ନିଲମ୍ବତ କରିବାକୁ ଦିଲ୍ଲୀ ପୁଲିସ୍ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲିର ସଂଘର୍ଷରେ ପୁଲିସ୍ ଗୁଳିରେ ଆହତ ହୋଇଥିବା ଆଇନ୍ଜୀବୀ ବିଜୟ ବର୍ମାଙ୍କୁ ଅନୁକମ୍ପା ମୂଳକ ସହାୟତା ରୂପେ ୫୦ ହଜାର ଓ ଆହତ ହୋଇଥିବା ଅନ୍ୟଦୁଇ ଆଇନଜୀବୀଙ୍କୁ ଯଥାକ୍ରମେ ୧୫ହଜାର ଓ ୧୦ ହଜାରର ଅର୍ଥରାଶି ପ୍ରଦାନ ପାଇଁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ।


















