Friday, October 23, 2026
ADVERTISEMENT
Home ଜାତୀୟ ବିହାରରେ ଏନ୍‌ସେଫାଲାଇଟିସ୍‌; ୧୦୦ରୁ ଉର୍ଦ୍ଧ୍ୱ ଶିଶୁଙ୍କ ପ୍ରାଣ ଗଲାଣି

ବିହାରରେ ଏନ୍‌ସେଫାଲାଇଟିସ୍‌; ୧୦୦ରୁ ଉର୍ଦ୍ଧ୍ୱ ଶିଶୁଙ୍କ ପ୍ରାଣ ଗଲାଣି

426
ADVERTISEMENT

ନୂଆଦିଲ୍ଲୀ, ୧୭/୬(ଡି.ଏଚ.ବି): ଜାପାନୀଜ ଏନ୍‌ସେଫାଲାଇଟିସ୍‌ ଜ୍ୱର ବିହାରରେ ଗୁରୁତର ରୂପ ଧାରଣ କରିଛି। ଜ୍ୱରରେ ରବିବାର ସୁଦ୍ଧା ୧୦୨ଜଣ ଶିଶୁଙ୍କ ପ୍ରାଣ ଗଲାଣି। ତେବେ, ସରକାରୀ ଭାବେ ମୃତ୍ୟୁସଂଖ୍ୟା ୮୮ବୋଲି କୁହାଯାଉଛି। ଗତକାଲି ଗୋଟିଏ ଦିନରେ ମୋଟ ୧୪ ଜଣଙ୍କ ପ୍ରାଣ ହାନି ଘଟିଛି। କେବଳ ମୁଜାଫରପୁର ଜିଲ୍ଲାରେ ୧୩୦ ଜଣ ଆକ୍ରାନ୍ତ ସମ୍ପ୍ରତି ଚିକିତ୍ସାଧୀନ ଥିବା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ରବିବାର ରାଜଧାନୀ ପାଟନାଠାରେ ପରିସ୍ଥିତିର ସମୀକ୍ଷା କରିଛନ୍ତି। ସେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଳ ପାଣ୍ଡେ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ତଥା ବିଶେଷଜ୍ଞମାନଙ୍କ ସହ ଆଲୋଚନାପରେ ମୁଜାଫରପୁର ଗସ୍ତ କରିଛନ୍ତି।

କେନ୍ଦ୍ରରୁ ପ୍ରେରିତ ଉଚ୍ଚସ୍ତରୀୟ ବିଶେଷଜ୍ଞ ଦଳ ସହିତ ମଧ୍ୟ ସେ ଆଲୋଚନା କରିଥିବା ଜଣାଯାଇଛି। ମହିଳା ଓ ଶିଶୁକଲ୍ୟାଣ ବିଭାଗକୁ ମଧ୍ୟ ଏଥିରେ ସାମିଲ କରାଯାଇ ଦୀର୍ଘସୂତ୍ରୀ ପଦକ୍ଷେପ ନେବାକୁ ବର୍ଦ୍ଧନ ପରାମର୍ଶ ଦେଇଛନ୍ତି। ସାମ୍ପ୍ରତିକ ବିପତ୍ତି ସମୟରେ କେନ୍ଦ୍ର ସରକାର ଆବଶ୍ୟକ ସହଯୋଗ ଯୋଗାଇଦେବା ସହ ପରିସ୍ଥିତିର ନିୟମିତ ସମୀକ୍ଷା କରୁଥିବା ମନ୍ତ୍ରୀ କହିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟବିଭାଗ ସହିତ ନିୟମିତ ଯୋଗାଯୋଗ ରଖାଯାଇଥିବା ମଧ୍ୟ ସେ କହିଛନ୍ତି।

Advertisement