ସଂସ୍କୃତରେ ଶପଥ ନେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

329
ADVERTISEMENT

ଭୁବନେଶ୍ୱର, ୧୭/୬(ଡି.ଏଚ.ବି): ୧୭ତମ ଲୋକସଭାର ପ୍ରଥମ ଅଧିବେଶନରେ ସଦସ୍ୟ ଭାବେ ଆଜି ଶପଥ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ମନ୍ତ୍ରୀ ଭାବେ ହିନ୍ଦୀରେ ଶପଥ ନେଇଥିବା ଶ୍ରୀ ଷଡ଼ଙ୍ଗୀ ଆଜି ଲୋକସଭାର ସଦସ୍ୟଭାବେ ସଂସ୍କୃତରେ ଶପଥ ନେଇଛନ୍ତି । ପୂର୍ବରୁ ମନ୍ତ୍ରୀ ହେବା ପରେ ସେ ରାଷ୍ଟ୍ରୀୟ ଖବର ପ୍ରସାରଣ ସଂସ୍ଥା ଡିଡି ନ୍ୟୁଜ୍‌କୁ ସଂସ୍କୃତରେ ଏକ ସାକ୍ଷାତକାର ଦେଇଥିଲେ ।

ନିଜ ଅଞ୍ଚଳରେ ସଂସ୍କୃତର ପ୍ରଚାର ଓ ପ୍ରସାରରେ ବିଶେଷ ଭୂମିକା ଗ୍ରହଣ କରିଥିବା ଶ୍ରୀ ଷଡ଼ଙ୍ଗୀ ଉକ୍ତ ସାକ୍ଷାତକାରରେ କହିଥିଲେ, ସଂସ୍କୃତ ଭାଷା ହେଉଛି ଭାରତର ପ୍ରାଣ । କେବଳ ଭାରତ ନୁହେଁ, ବିଶ୍ୱର ସମସ୍ତ ଭାଷାର ଜନନୀ ହେଉଛି ସଂସ୍କୃତ ଭାଷା ।

ଲୋକସଭାର ପ୍ରଥମ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଥିବାବେଳେ ନବନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହର ନେତା ଭାବେ ପ୍ରଥମେ ଶପଥ ନେଇଥିଲେ । ଏହାପରେ ଅନ୍ୟ ସଦସ୍ୟମାନେ ଶପଥ ନେଇଥିଲେ। ଆସନ୍ତା ୧୯ ତାରିଖରେ ବାଚସ୍ପତି ନିର୍ବାଚନ ହେବାକୁ ଥିବା ବେଳେ ଅସ୍ଥାୟୀ ବାଚସ୍ପତି ବୀରେନ୍ଦ୍ର କୁମାର ସଦସ୍ୟମାନଙ୍କୁ ଶପଥ ପାଠ କରାଇଛନ୍ତି ।

Advertisement