ବିଶ୍ବକପ୍‌: ଅପରାଜେୟ ଭାରତ, ଅପରାଜେୟ ତା’ ଧାରା

ପାକିସ୍ତାନକୁ ୮୯ ରନ୍‌ରେ ଧୂଳି ଚଟାଇଲା ଭାରତ-

201
ADVERTISEMENT

ନୂଆଦିଲ୍ଲୀ, ୧୭/୬(ଡି.ଏଚ.ବି): ସବୁଥର ପରି ଏଥର ମଧ୍ୟ ବିଶ୍ବକପ୍‌ କ୍ରିକେଟରେ ପାକିସ୍ତାନ ବିପକ୍ଷରେ ଭାରତର ଆଧିପତ୍ୟ ଅତୁଟ ରହିଛି। ରବିବାର ଅନୁଷ୍ଠିତ ମାଞ୍ଚେଷ୍ଟରର ବର୍ଷା ପ୍ରଭାବିତ ହାଇ-ଭୋଲଟେଜ୍ ମୁକାବିଲାକୁ ଭାରତ ଡକୱର୍ଥ/ଲୁଇସ୍ ନିୟମନୁଯାୟୀ ୮୯ ରନ୍‌ରେ ଜିତି ନେଇଛି। ତା’ ସହ ପାକିସ୍ତାନ ବିପକ୍ଷରେ ଭାରତର ବିଶ୍ବକପ୍ ବିଜୟ ସଂଖ୍ୟା ୭-୦କୁ ବଢିଯାଇଛି।

ରବିବାର ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମରେ ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ବର୍ଷାର ଲୁଚକାଳି ଖେଳ ଓ ରୋହିତ ଶର୍ମାଙ୍କ ଧମାକାଦାର ଶତକ ମଧ୍ୟରେ ଭାରତ ପ୍ରଥମେ ବ୍ୟାଟିଂ କରି ୩୩୬ ରନ୍ ର ଏକ ବିଶାଳ ସ୍କୋର କରିଥିଲା। ଏହାପରେ ବିଜୟ ଶଙ୍କର, କୁଲଦୀପ ଯାଦବ ଓ ହାର୍ଦିକ ପାଣ୍ଡ୍ୟାଙ୍କ ବୋଲିଂ କମାଲରେ ଭାରତୀୟ ଦଳ ୧୬୫ ରନ୍‌ରେ ୬ଜଣ ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ ଫେରାଇଥିଲା। ତେବେ, ପାକିସ୍ତାନ ପାଳିର ୩୫ଓଭର ପରେ ବର୍ଷା ଆରମ୍ଭ ହୋଇ ଯାଇଥିଲା। ସେଥିପାଇଁ ଶେଷରେ ଏହି ଦଳକୁ ୪୦ ଓଭରରେ ୩୦୨ରନ୍‌ର ଟାର୍ଗେଟ ମିଳିଥିଲା। କିନ୍ତୁ, ପାକିସ୍ତାନ ସେହି ୬ୱିକେଟ୍ ହରାଇ ୨୧୨ରନ୍ କରିବା ସହ ଭାରତଠାରୁ ବିଶ୍ବକପ୍‌ରେ ଲାଗାତାର ସପ୍ତମ ଥର ପାଇଁ ପରାଜୟ ବରଣ କରିଥିଲା। ହିଟମ୍ୟାନ ରୋହିତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସାରା ବିଶ୍ବର ନଜର ଥିବା ଏହି ମ୍ୟାଚ୍ ଜିତିବା ପରେ ଭାରତ ବିଶ୍ବକପର ୪ମୁକାବିଲାରୁ ୭ ପଏଣ୍ଟ ପାଇ ତାଲିକାର ତୃତୀୟ ସ୍ଥାନକୁ ଉଠିଛି।

Advertisement