ସରପଞ୍ଚଙ୍କୁ ବୋମାମାଡ଼ କରିବାବେଳେ ହାତରେ ଫୁଟିଲା ବୋମା; ଅଭିଯୁକ୍ତ ଗୁରୁତର

179
ADVERTISEMENT

ଦିଗପହଣ୍ଡି, ୧୫/୬(ଡି.ଏଚ.ବି): ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲୀ ପଞ୍ଚାୟତ ସରପଞ୍ଚ ପ୍ରଶାନ୍ତ ସ୍ବାଇଁଙ୍କୁ ଦାଦାବଟି ପାଇଁ ବୋମାମାଡ଼ କରି ହତ୍ୟା ଉଦ୍ୟମ କରିବାବେଳେ ଅଭିଯୁକ୍ତର ହାତରେ ହିଁ ବୋମାଟି ଫୁଟିଯାଇଥିବା ଜଣାପଡ଼ଛି। ବୋମାମାଡ଼ରୁ ସରପଞ୍ଚ ପ୍ରଶାନ୍ତ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଅଭିଯୁକ୍ତ ନିଜେ ଗୁରୁତର ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ପୂର୍ବଯୋଜନା ଅନୁଯାୟୀ ଲାଠି ର ଦୁର୍ଦ୍ଦାନ୍ତ ଅପରାଧୀ ଶ୍ୟାମସୁନ୍ଦର ଗୌଡ଼ ଓରଫ୍‌ ଚେରୁ ତା’ର ୨ ସହଯୋଗୀ ସହ ରାତିରେ ବନ୍ଥପଲୀ ସରପଞ୍ଚଙ୍କୁ ଅଟକାଇ ଦାଦାବଟି ମାଗିଥିଲେ। ସରପଞ୍ଚଙ୍କ ସହ ସେମାନଙ୍କର କିଛି ସମୟ ଯୁକ୍ତିତର୍କ ହେବାପରେ ଚେରୁ ସରପଞ୍ଚଙ୍କ ଉପରକୁ ବୋମା ଫିଙ୍ଗିବାକୁ ଚେଷ୍ଟା କରୁଥିବାବେଳେ ଅସାବଧାନତା ବଶତଃ ବିସ୍ଫୋରଣ ଘଟିବାରୁ ତା’ଙ୍କ ଡାହାଣ ହାତ ପାପୁଲିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ଖବର ପାଇ ଦିଗପହଣ୍ଡି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଚେରୁଙ୍କୁ ବ୍ରହ୍ମପୁର ଏମକେସିଜି ବଡ଼ ମେଡିକାଲରେ ଭର୍ତ୍ତି କରିଛି। ସରପଞ୍ଚଙ୍କ ଏତଲା କ୍ରମେ ଦିଗପହଣ୍ଡି ଆଇଆଇସି ଗୌରାଙ୍ଗ ଚରଣ ସାହୁ ଅଭିଯୁକ୍ତ ଚେରୁଙ୍କ ନାଁରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛନ୍ତି। ତେବେ, ପୂର୍ବରୁ ଚେରୁଙ୍କ ନାମରେ ବିଭିନ୍ନ ଥାନାରେ ୧୦ରୁ ଊର୍ଦ୍ଧ୍ୱ ମାମଲା ଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ଚେରୁଙ୍କ ଦୁଇ ସହଯୋଗୀ ଫେରାର ହୋଇଯାଇଥିବା ବେଳେ ଆକ୍ରମଣରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାପାଇଁ ପୁଲିସର ଏକ ଟିମ ଗଠନ ହୋଇଥିବା ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ଜଣାଇଛନ୍ତି।

Advertisement