ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳକୁ ଗଡ଼ିଲା ବସ୍‌ : ଅକ୍ଟୋବର ୧ରୁ ଦୁଇଚକିଆ ବନ୍ଦ

263
ADVERTISEMENT

ପାରାଦୀପ,୧୪/o୯(ଏଜେନସି ) : ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଆସନ୍ତା ଅକ୍ଟୋବର ୧ ରୁ ସମ୍ପୂର୍ଣ୍ଣ ଭାବେ ବାଇକ, ସାଇକେଲ ଆଦି ଦୁଇଚକିଆ ଚଳାଚଳ ବନ୍ଦ କରାଯିବ। କର୍ମଚାରୀ ଓ ଶ୍ରମିକଙ୍କ ସୁରକ୍ଷା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ସେହି ଶ୍ରମିକ ଓ କର୍ମଚାରୀମାନଙ୍କ ଯାତାୟାତ ପାଇଁ ଶୁକ୍ରବାରଠାରୁ ବସ୍‌ ସେବା ଆରମ୍ଭ କରାଯାଇଛି। ଦେଶର ବୃହତ ବନ୍ଦରଗୁଡିକ ମଧ୍ୟରେ ପାରାଦୀପ ବନ୍ଦର ଏପରି ନିୟମ କରିବାରେ ପ୍ରଥମ ବୋଲି କୁହାଯାଉଛି । ଓଡ଼ିଶା ସରକାରଙ୍କ ରୋଡ୍‌ ଟ୍ରାନ୍ସପୋର୍ଟ କର୍ପୋରେଶନର ୪ଟି ବସ୍‌ ଚଳାଚଳ କରିଛି । ଭୋର ୫ଟାରେ ଜାହାଜ ସିଫ୍ଟ ପରିବର୍ତ୍ତନ ସମୟରେ ହର୍ନ ବାଜିବା ବେଳେ ବନ୍ଦର ନିଷିଦ୍ଧାଞ୍ଚଳକୁ ବସ୍‌ ପ୍ରବେଶ କରିଥିଲା। ବନ୍ଦର ଚିଫ୍‌ ମେରାଇନ ଇଞ୍ଜିନିୟର (ସିଏମ୍‌ଇ) ସରୋଜ କୁମାର ଦାସ ପତାକା ହଲାଇ ଏହାର ଶୁଭାରମ୍ଭ କରିଥିଲେ। ଏହି ସମୟରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ ଓ ଅନ୍ୟ ବିଭାଗୀୟ ମୁଖ୍ୟ ଉପସ୍ଥିତ ଥିଲେ। ଏହି ବସ୍‌ଗୁଡିକର ସମ୍ପୂର୍ଣ୍ଣ ଖର୍ଚ୍ଚ ବନ୍ଦର ବହନ କରିବ। ୨,୪ ଓ ୫ନଂ. ଗେଟ୍‌ ବାଟେ ଏହି ବସ୍‌ ୨୪ ଘଣ୍ଟା ଚଳାଚଳ କରିବ। ଏଥିସହ ସମସ୍ତ ବ୍ୟବହାରକାରୀ ସଂସ୍ଥାକୁ କୁହାଯାଇଛି ସେମାନେ ନିଜ କର୍ମଚାରୀ ଓ ଶ୍ରମିକଙ୍କ ପାଇଁ ଚାରିଚକିଆ ଯାନ ବ୍ୟବସ୍ଥା କରିବେ। ଏହା ଦ୍ୱାରା ଶ୍ରମିକ କର୍ମଚାରୀମାନେ ଦୁର୍ଘଟଣା ଓ ପ୍ରଦୂଷଣରୁ କିଛି ମାତ୍ରାରେ ସୁରକ୍ଷା ପାଇବେ ବୋଲି ଅଧ୍ୟକ୍ଷ ରାୟ କହିଛନ୍ତି।

Advertisement