ରାଉରକେଲାରୁ ଦୈନିକ ବିମାନସେବା : ଅନିଶ୍ଚିତତା ଭିତରେ ଅଟକଛି

291
ADVERTISEMENT

ରାଉରକେଲା ,୧୩/o୯(ଏଜେନସି ) : ରାଉରକେଲା ବିମାନ ବନ୍ଦରରୁ ଦୈନିକ ବିମାନ ସେବା ଏବେ ନୁହେଁ, କେବେ ଉଡ଼ିବ କାହା ପାଖରେ ଠିକ୍‌ ଉତ୍ତର ବି ନାହିଁ। ଉଭୟ କେନ୍ଦ୍ର ଓ ରାଜ୍ୟର ଉପଯୁକ୍ତ ସମନ୍ବୟ ଅଭାବରୁ ରାଉରକେଲା ଦୈନିକ ବିମାନ ସେବା ଅନିଶ୍ଚିତତା ଭିତରେ ଅଟକଛି, ଯାହାକି ଗତକାଲି ଭୁବନେଶ୍ବରରେ ‘ଉଡାନ’ ଯୋଜନାର ରାଜ୍ୟସ୍ତରୀୟ ମନଟରିଂ କମିଟି ବୈଠକରେ ହୋଇଥିବା ଆଲୋଚନାରୁ ସ୍ପଷ୍ଟ ହୋଇ ଯାଇଛି। ମୁଖ୍ୟ ଶାସନସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୁଲିସ ଡିଜି ବିଜୟ ଶର୍ମା, ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା, ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସଞ୍ଜିବ ଚୋପ୍ରା, ରାଜସ୍ବ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, ଅଗ୍ନିଶମ ଆଇଜି ଅସିତ ପାଣିଗ୍ରାହୀ, ପୂର୍ତ୍ତ ବିଭାଗ ସଚିବ କ୍ରିଷନ କୁମାର ଓ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ ହିମାଂଶୁ ଭୂଷଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ମୁଖ୍ୟ ଶାସନ ସଚିବ କହିଥିଲେ, ରାଉରକେଲା ବିମାନ ବନ୍ଦରରେ ଏବେ ୫୯୦୦ ଫୁଟ୍‌ର ରନୱେ ଅଛି। ସେଥିରେ ୧୯ ସିଟ୍‌ ବିଶିଷ୍ଟ ବିମାନ ଉଡ଼ାଣ କରିପାରିବ। ଭୁବନେଶ୍ବର, କୋଲକାତା ଓ ରାୟପୁରକୁ ଏଠାରୁ ବିମାନ ଚଳାଚଳ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବିମାନବନ୍ଦର କର୍ତ୍ତୃପକ୍ଷ ବିମାନସେବା ଯୋଗାଉଥିବା କମ୍ପାନିଙ୍କ ଠାରୁ ଆବେଦନ ଆହ୍ବାନ କରିଛନ୍ତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ, ପୂର୍ବରୁ ରାଉରକେଲା ବିମାନ ବନ୍ଦରରେ ୪୨ ସିଟ୍‌ ବିଶିଷ୍ଟ ବିମାନ ଅବତରଣ କରିପାରିବ ଏବଂ ସବୁ ପ୍ରସ୍ତୁତି ‌ଶେଷ ହୋଇଯାଇଥିବାରୁ ଯେକୌଣସି ଦିନ ଏଠାରୁ ବିମାନ ଉଡ଼ିପାରେ । ପୂର୍ବରୁ ୪୨ ସିଟ୍‌ ବୋଲି ନିଷ୍ପତ୍ତି ହୋଇଥିବାବେଳେ ଏବେ କିଭଳି ୧୯ ସିଟ୍‌ ବିଶିଷ୍ଟ ବିମାନ ଉଡ଼ାଣ କରିବ , ତାହା ଏବେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି। ଅନ୍ୟପକ୍ଷରେ, ଏୟାର ଅଥରିଟି ଅଫ୍‌ ଇଣ୍ଡିଆ ସେଲ୍‌ ପରିଚାଳାଧୀନ ରାଉରକେଲା ବିମାନବନ୍ଦରକୁ ନିଜ ଅଧୀନକୁ ନେବା ଦିନଠାରୁ ଭିତ୍ତିଭୂମିର ବିକାଶ କାମ ଚାଲିଛି। ୨୪ ଘଣ୍ଟିଆ ବିଜୁଳି ସେବା ପାଇଁ ଉଚ୍ଚକ୍ଷମତା ବିଶିଷ୍ଟ ଡିଜି ସେଟ୍‌ ସ୍ଥାପନ ହୋଇଛି। ଦୈନିକ ସେବାରେ ଆବଶ୍ୟକ ଇନ୍ଧନ ପାଇଁ ‘ଇନ୍ଧନ ସେଣ୍ଟର’ ସ୍ଥାପନ କରାଯାଇଛି। ଏସବୁ କାମ ସରିବା ପରେ ଦୈନିକ ବିମାନ ସେବା ଆରମ୍ଭ ହେବ ବୋଲି କୁହାଯାଉଥିଲା।

Advertisement