ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସମାଲୋଚନା କଲା କଂଗ୍ରେସ

280
ADVERTISEMENT

ଭୁବନେଶ୍ୱର,୧o/o୯(କୁନା ପ୍ରଧାନ ) : ନୂଆ ମୋଟର ଯାନ ଆଇନ ଅନୁଯାୟୀ ରାଜ୍ୟରେ କଡାକଡି ଭାବରେ ଟ୍ରାଫିକ ଚେକିଂ ଚାଲିଥିଲା। ଧୀରେଧୀରେ ଲୋକଙ୍କ ଆକ୍ରୋଶକ୍ରମେ ଏହା ପ୍ରଭାବଶୂନ୍ୟ ହେବାକୁ ଲାଗିଲା। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ଭାବେ ଘୋଷଣା କରି ଏହାକୁ ଆସନ୍ତା ୩ ମାସ ପର୍ଯ୍ୟନ୍ତ ନିୟମ କୋହଳ କରିଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଘୋଷଣାପରେ ବର୍ଷିଛନ୍ତି ବିରୋଧୀ। କଂଗ୍ରେସ ନେତା ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଛନ୍ତି, ନୂଆ ମୋଟର ଯାନ ଆଇନ ପାର୍ଲାମେଣ୍ଟରେ ପାସ୍‌ ହେଲାବେଳେ ଜନସାଧାରଣଙ୍କ ଭଲମନ୍ଦକୁ ନ ବୁଝି ଶାସକ ବିଜେଡି ଏମ୍‌ପିମାନେ ଏହାକୁ ସମର୍ଥନ କରିଦେଲେ। ଅନ୍ୟ କେତେଗୁଡିଏ ରାଜ୍ୟ ସରକାର ଏଭଳି ଆଇନକୁ ନିଜ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ରାଜି ନ ହୋଇ ପ୍ରତ୍ୟାଖ୍ୟାନ କରିଦେଲେ। ମାତ୍ର ମୁଖ୍ୟମନ୍ତ୍ରୀ ଏହି ନିୟମ ସମ୍ପର୍କରେ ଠିକ୍‌ରେ ତର୍ଜମା ନ କରି କାର୍ଯ୍ୟକାରୀ କାହିଁକି କରାଇଦେଲେ। ଜନତାଙ୍କ କ୍ରୋଧ ଦେଖିବାପରେ ରାଜ୍ୟ ସରକାରଙ୍କ ଏ ବାବଦରେ ଚେତା ପଶିଲା। ଆଗକୁ ନଗରପାଳିକା ନିର୍ବାଚନ ଥିବାରୁ ଏହି ଆଇନକୁ ତିନିମାସ କୋହଳ କରି ରାଜ୍ୟବାସୀଙ୍କୁ ପୁନର୍ବାର ଲଲିପପ୍‌ ଦେଖାଇ ଭୋଟ ହାତେଇବାର ଯେଉଁ ପ୍ରୟାସ କରିଛନ୍ତି ତାକୁ ଉଚିତ୍‌ ଜବାବ୍‌ ଆଗାମୀ ଦିନରେ ମିଳିବ। ଯଦି ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତରେ ରାଜ୍ୟବାସୀଙ୍କ ପ୍ରତି ଆନ୍ତରିକତା ଅଛି ତେବେ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଭଳି ଓଡିଶା ଏହି ଆଇନକୁ ପ୍ରତ୍ୟାଖ୍ୟାନ କରୁ ବୋଲି ଆର୍ଯ୍ୟକୁମାର କହିଛନ୍ତି।

Advertisement