ଜରାଜୀର୍ଣ୍ଣ ଅଲଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଅବ୍ୟବସ୍ଥାରେ ଚାଲିଛି ୧୮୮ ପିଲାଙ୍କ ପାଠପଢ଼ା

266
ADVERTISEMENT

କାଶୀନଗର,୩୦/୮(ଏଜେନସି) : କାଶୀନଗର ବ୍ଲକ୍‌ ଅଲଡ଼ାଗ୍ରାମ ଉଚ୍ଚ ୟୁପି ସ୍କୁଲ ଅବ୍ୟବସ୍ଥାରେ ଚାଲିଛି। ବିଦ୍ୟାଳୟଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲେ ମଧ୍ୟ ଏଠାରେ ପାଠପଢ଼ା ଚାଲିଛି। ବହୁ ପୁରୁଣା ଏହି ବିଦ୍ୟାଳୟରେ ୧୮୮ ଛାତ୍ରୀଛାତ୍ର ରହିଥିବାବେଳେ ଏଠାରେ ଅଷ୍ଟମ ଶ୍ରେଣୀ ଯାଏ ପିଲା ପଢ଼ୁଛନ୍ତି। ସେଥିମଧ୍ୟରୁ ୩୮ ଛାତ୍ରୀ ଏବଂ ୧୫୦ ଛାତ୍ର ରହିଛନ୍ତି। ସେହିପରି ମୋଟ ୯ ଶିକ୍ଷୟିତ୍ରୀ ଶିକ୍ଷକ ଏଠାରେ ନିଯୁକ୍ତ ହୋଇଛନ୍ତି।
ତିତ୍‌ଲି ବାତ୍ୟାରେ ଏହି ସ୍କୁଲ ସମ୍ମୁଖରେ ଥିବା ବିରାଟ ଗଛ ଟଳିପଡ଼ିବା ଯୋଗୁ ଏହାର ଛାତ ଭାଙ୍ଗିଯାଇଛି । ଅଫିସ ରୁମ୍‌ର ମଧ୍ୟ ଆଜବେଷ୍ଟର୍ସ ଭାଙ୍ଗିବା ସହ କାନ୍ଥ ଫାଟି ବିପଜ୍ଜନକ ଅବସ୍ଥାରେ ରହିଛି । ସେହିପରି ସ୍କୁଲ ଶୌଚାଳୟ ଛାତରେ ମଧ୍ୟ ଏକ ଗଛ ପଡ଼ି ଛାତ ଭାଙ୍ଗିଯାଇଛି। ହେଲେ ଗଛଟିକୁ ଏ ପର୍ଯ୍ୟନ୍ତ ହଟାଯାଇନାହିଁ। ଅନ୍ୟପକ୍ଷରେ ସ୍କୁଲର ପାଚେରି ନ ଥିବାବେଳେ ଭଙ୍ଗା ଶ୍ରେଣୀଗୃହରେ ପିଲାମାନେ ବହୁ ଅବ୍ୟବସ୍ଥାରେ ପାଠ ପଢ଼ୁଛନ୍ତି। ଏହା ପରିସରରେ ଥିବା ନଳକୂପ ମଧ୍ୟ ଅଚଳ ଅବସ୍ଥାରେ ରହିଛି। ଏଭଳି ସ୍ଥିତିରେ ପିଲା ଏଠାରେ ବହୁ ସମସ୍ୟାରେ ପାଠ ପଢ଼ୁଥିବା ସ୍କୁଲ ପରିଚାଳନା କମିଟିର ସଭାପତି ପ୍ରସନ୍ନ କୁମାର ପାତ୍ର କହିଛନ୍ତି। ଏ ସମ୍ପର୍କରେ ପ୍ରଶାସନ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ ଦୃଷ୍ଟି ଦିଆଯାଇ ନ ଥିବା ଅଭିଯୋଗ ହୋଇଛି। ପାଚେରି ନ ଥିବା ଯୋଗୁ ସ୍କୁଲ ପରିସରରେ ଅସାମାଜିକ କାର୍ଯ୍ୟ, ଗାଈ, ଘୁଷୁରୀ ଓ ସାରେ ମଦ୍ୟପ, ଜୁଆଡ଼ିଙ୍କ ଆଡ୍ଡା ଦେଖିବାକୁ ମିଳୁଛି । ଯାହାକି ସ୍କୁଲ ପରିବେଶକୁ ନଷ୍ଟ କରୁଛି। ତେଣୁ ବିଦ୍ୟାଳୟର ମରାମତି, ଓ ପାଚେରି ନିର୍ମାଣ ସହ ସମସ୍ତ ଅବ୍ୟବସ୍ଥାକୁ ଦୂର କରିବା ପାଇଁ ଅଭିଭାବକ ଓ ବୁଦ୍ଧିଜୀବୀ ଦାବି କରିଛନ୍ତି। ନଚେତ୍‌ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି।

Advertisement