ଦଶପଲ୍ଲା : ଦଦରା ଆମ୍ବୁଲାନ୍ସରେ ଚାଲିଛି ରୋଗୀ ସେବା

261
ADVERTISEMENT

ଦଶପଲ୍ଲା,୩୦/୮(ଏଜେନସି) : ରୋଗୀଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦୮ ଆମ୍ବୁଲାନ୍ସ ସେବା କାର୍ଯ୍ୟକାରୀ କରାଯାଇଛି। ହେଲେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଆମ୍ବୁଲାନ୍ସର ଫିଟ୍‌ନେସ୍‌ ଏବଂ ଇନ୍‌ସ୍ୟୁରାନ୍ସ ନଥିବା ହେତୁ ଏହା ଏକ ପ୍ରକାର ଅଚଳ ହୋଇ ପଡ଼ିଥିବା ବେଳେ ଏଠାରେ ଚାଲି ଆସୁଥିବା ୧୦୮ ଆମ୍ବୁଲାନ୍ସଟି ଅତ୍ୟନ୍ତ ଦୟନୀୟ ହୋଇ ପଡ଼ିଛି। ଆମ୍ବୁଲାନ୍ସର ଡୋର୍ ଅନେକ ସମୟରେ ପଡ଼ୁନଥିବା ବେଳେ ଏହାର ଚାରିପାଖ କଳଙ୍କି ଲାଗି ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଥିବା ଦେଖିବାକୁ ମିଳିଛି। ବିପଦ ସଂକୁଳ ଭାବେ ଏହି ଆମ୍ବୁଲାନ୍ସରେ ରୋଗୀଙ୍କୁ ନିଆଯାଉଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ହେଲେ ମଧ୍ୟଖଣ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚାଲି ଆସୁଥିବା ୧୦୮ ଆମ୍ବୁଲାନ୍ସଟି ଗତ ବର୍ଷ ଜାନୁଆରୀ ମାସରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏହା ଆଉ ଫେରୁନଥିବା ଦେଖିବାକୁ ମିଳୁଛି।

ଦଶପଲ୍ଲାର ଭୌଗୋଳିକ ଦୃଷ୍ଟିକୋଣକୁ ନେଇ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମେତ ମଧ୍ୟଖଣ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ବାଣିଗୋଛା ସ୍ବାସ୍ଥ୍ୟକେନ୍ଦ୍ରରେ ୩ଟି ୧୦୮ ଆମ୍ବୁଲାନ୍ସ କାର୍ଯ୍ୟ କରି ଆସୁଥିଲା। ଦଶପଲ୍ଲା ବ୍ଲକ୍‌ର ବିଭିନ୍ନ ଉପାନ୍ତ ଅଂଚଳରୁ ଦୈନିକ ଗୁରୁତର ରୋଗୀଙ୍କ ସମେତ ଜାତୀୟ ରାଜପଥ ଉପରେ ଘଟୁଥିବା ଛୋଟବଡ଼ ଦୁର୍ଘଟଣାକୁ ନେଇ ରୋଗୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବାକୁ ପଡ଼ିଥାଏ। ମାତ୍ର ଏହା ଭିତରେ ଚଢେୟାପଲ୍ଲୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଉ ଏକ ୧୦୮ ଆମ୍ବୁଲାନ୍ସ ଯୋଗାଇ ଦେବା ପାଇଁ ଦାବି ହୋଇ ଆସୁଛି। ଏ ପଟେ କିନ୍ତୁ ମଧ୍ୟଖଣ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ୧୦୮ ଆମ୍ବୁଲାନ୍ସର ମରାମତି କରାଯାଇ ଏହାକୁ ମଧ୍ୟଖଣ୍ତ ଆଣିବା ପରିବର୍ତ୍ତେ ଚାନ୍ଦପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯାଇଥିବା ଶୁଣିବାକୁ ମିଳୁଛି। ଫଳରେ ଦଶପଲ୍ଲା ଅଂଚଳରେ ଦୈନିକ ରୋଗୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ଆସିବା ପାଇଁ ଠିକ୍ ଭାବେ ଆମ୍ବୁଲାନ୍ସ ସେବା ମିଳି ପାରୁନାହିଁ। ପ୍ରଶାସନିକ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକୁ ନେଇ ମଧ୍ୟଖଣ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚାଲି ଆସୁଥିବା ଆମ୍ବୁଲାନ୍ସକୁ ଅନ୍ୟତ୍ର ପଠାଇ ଦିଆଯାଇଥିବା ବେଳେ ଦଶପଲ୍ଲାରେ ରୋଗୀ ସେବା ଠପ୍ ହୋଇ ପଡ଼ିଛି। ତୁରନ୍ତ ଏହି ଆମ୍ବୁଲାନ୍ସକୁ ଫେରାଇ ଆଣିବାକୁ ବିଭିନ୍ନ ସଂଗଠନ ଓ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି।

Advertisement