ଧନୀ ମଠର ଧନ ଉପରେ ସଭିଁଙ୍କ ନଜର

421
????????????????????????????????????
ADVERTISEMENT

ପୁରୀ,୩୦/୮(ଏଜେନସି) : ଗତ ଦୁଇଦିନ ଧରି ସର୍ବପୁରାତନ ଏମାର ମଠ ଉଚ୍ଛେଦ କାର୍ଯ୍ୟ ଜାରି ରହିଥିଲେ ବି ଭଙ୍ଗା କାର୍ଯ୍ୟ ଶେଷ ହୋଇପାରିନି। ଏବେ ବି ମଠର ୬୦ ପ୍ରତିଶତ କୋଠା ଭାଙ୍ଗିବାକୁ ବାକି ରହିଛି। ଏଭଳି ପରିସ୍ଥିତିରେ ମଠର ପୂର୍ବ ଗାରିମାକୁ ନେଇ ଆରମ୍ଭ ହୋଇଯାଇଛି ଅନେକ ଚର୍ଚ୍ଚା। ଅତୀତରେ ସୁନା, ରୁପା, ମୋତି, ମାଣିକରେ ଭରପୁର ଥିଲା ଏହି ମଠ। ମଠ ପରିସରରୁ ୫ ଶହରୁ ଅଧିକ ରୁପା ଇଟା ଜବତ ଘଟଣା ଏହାକୁ ପ୍ରମାଣିତ କରୁଛି। ଏପରି ପରିସ୍ଥିତିରେ ଏମାର ମଠର ସମ୍ପତ୍ତି ଉପରେ ବର୍ତ୍ତମାନ ସମସ୍ତଙ୍କର ନଜର ରହିଛି। ଅତୀତରେ ଓଡ଼ିଶାର ସବୁଠୁ ଧନୀ ମଠ ଭାବେ ପରିଚିତ ଥିବା ଏମାର ମଠ ବିପତ୍ତି ସମୟରେ ଲୋକଙ୍କ ସହିତ ରହିଥିଲା। ଦୁଃଖୀରଙ୍କିଙ୍କ ପାଇଁ ଅନ୍ନଛତ୍ର ଖୋଲୁଥିଲା। ଓଡ଼ିଶାରେ ଦୁର୍ଭିକ୍ଷ ସମୟରେ ମଠରେ ଯେତେ ସବୁ ଧାନଚାଉଳ ଗଚ୍ଛିତ ଥିଲା, ତାହା ସବୁ ଦୁର୍ଭିକ୍ଷ ପ୍ରପୀଡ଼ିତଙ୍କୁ ଦିଆଯାଇଥିଲା। ଅଚଳାଚଳ ସମ୍ପତ୍ତିର ମାଲିକ ଥିଲେ ଏମାର ମଠ ମହନ୍ତ। ସୁନାରୁପାର ଅମାର, ବୃହତ୍ ଧାନ କୋଠି ଆଦି ଏଠାରେ ରହିଥିଲା। ଶ୍ରୀମନ୍ଦିର ପରିଚାଳନାରେ ବି ଏହି ମଠର ଅନେକ ଅବଦାନ ରହିଛି। ଶ୍ରୀମନ୍ଦିରରେ ଆର୍ଥିକ ସଂକଟ ସମୟରେ ମଠ ଅନେକ ଥର ସହଯୋଗର ହାତ ବଢ଼ାଇଛି। ଶ୍ରୀକ୍ଷେତ୍ରର ତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର ସହ ଅନେକ ଶିକ୍ଷାନୁଷ୍ଠାନ, ଦାତବ୍ୟ ଚିକିତ୍ସାଳୟ ଖୋଲିବାରେ ଏହି ମଠର ଅବଦାନ ରହିଛି। ଏବେ ବି ଏହି ମଠରେ ସୁନାରୁପା ଆଦିର ଭଣ୍ଡାର ଥିବା ଅନେକ କହନ୍ତି। କେହି କେହି ମଠ ମହନ୍ତଙ୍କ ଗାଦି ଓ ଅନ୍ୟାନ୍ୟ ସ୍ଥାନରେ ସୁନାରୁପା ରହିଥିବା ମତ ଦେଇଛନ୍ତି। ମହନ୍ତ ରହୁଥିବା କୋଠା ଭଙ୍ଗାଯିବା ପରେ ଏହି ରହସ୍ୟ ଉନ୍ମୋଚିତ ହୋଇପାରେ ବୋଲି ମତପ୍ରକାଶ ପାଇଛି। ଆଜି ଗୁପ୍ତ କୋଠରିର ସନ୍ଧାନ ମିଳିବା ପରେ ଏହି ରହସ୍ୟ‌ ଲୋକଙ୍କ ମନରେ ଆହୁରି ଉତ୍ସୁକତା ଭରି ଦେଇଛି।

Advertisement