ଭୁବନେଶ୍ୱର,୩୦/୮(କୁନା ପ୍ରଧାନ) : କ୍ଲାସ୍ ସମୟରେ ସ୍କୁଲ କ୍ୟାମ୍ପସରେ ମୋବାଇଲ୍ ବାରଣ ହୋଇଥିଲା। ୨୦୧୮ ଫେବ୍ରୁଆରିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ମୋବାଇଲ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଥିଲା। ତଥାପି କେହି ଶୁଣୁନାହାନ୍ତି। ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀମାନେ ବିନା ବାଧାରେ ମୋବାଇଲ୍ ବ୍ୟବହାର କରୁଛନ୍ତି। ଏପରିକି କ୍ଲାସ୍ ଚାଲିଥିବା ସମୟରେ ଶିକ୍ଷକଙ୍କ ମୋବାଇଲ୍ ବାଜୁଛି। କେତେକ କ୍ୟାମ୍ପସରେ ଛାତ୍ରଛାତ୍ରୀ ବି ମୋବାଇଲ୍ରେ କଥା ହେଉଛନ୍ତି। ଏ ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ଚଳିତ ଶିକ୍ଷାବର୍ଷ ଆରମ୍ଭରୁ କଡ଼ା ଅଭିମୁଖ୍ୟ ଗ୍ରହଣ କରିଛି ବିଭାଗ। ପୂର୍ବରୁ ଜାରି ହୋଇଥିବା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ବିଦ୍ୟାଳୟର ମୁଖ୍ୟମାନଙ୍କୁ ନିର୍ଦେଶ ଦିଆଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଓ ବ୍ଲକ୍ ଶିକ୍ଷା ଅଧିକାରୀ(ବିଇଓ)ମାନଙ୍କୁ ବି ଏ ସମ୍ପର୍କରେ ଅବଗତ କରାଯାଇଛି।
ବିଭାଗ ପକ୍ଷରୁ କୁହାଯାଇଛି ଯେ ପାଠପଢ଼ା ସମୟରେ ମୋବାଇଲ୍ ଦ୍ବାରା ଛାତ୍ରଛାତ୍ରୀମାନଙ୍କର ମାନସିକ ସ୍ଥିରତା ବାଧାପ୍ରାପ୍ତ ହେଉଛି। କେତେକ ସ୍ଥାନରେ ଛାତ୍ରଛାତ୍ରୀଙ୍କ ଅଶ୍ଳୀଳ ଫଟୋ ମଧ୍ୟ ଭାଇରାଲ ହେଉଛି। କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ସୃଷ୍ଟି ହେବା ବଦଳରେ ଛାତ୍ରୀଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳୁଛି। ଶୌଚାଳୟ ଯିବା ସମୟରେ ଛାତ୍ରୀମାନଙ୍କୁ ଦୁଇଥର ଚିନ୍ତା କରିବାକୁ ପଡ଼ୁଛି। ତେଣୁ ଶିକ୍ଷାନୁଷ୍ଠାନରେ ମୋବାଇଲ୍ ବ୍ୟବହାର ଉପରେ ରୋକ୍ ଲଗାଇବାର ଆବଶ୍ୟକତା ରହିଛି। ପାଠପଢ଼ା ସମୟରେ କ୍ୟାମ୍ପସ ଭିତରେ କର୍ମଚାରୀ ଓ ଛାତ୍ରଛାତ୍ରୀ ମୋବାଇଲ୍ ବ୍ୟବହାର ନ କରିବାକୁ ବିଦ୍ୟାଳୟ ପ୍ରଧାନଶିକ୍ଷକ/ଅଧ୍ୟକ୍ଷମାନେ ନିର୍ଦେଶ ଦେବେ। ଯଦି କେହି ମୋବାଇଲ୍ ନେଇ ସ୍କୁଲକୁ ଆସନ୍ତି, ତେବେ କର୍ମଚାରୀମାନେ କ୍ୟାମ୍ପସରେ ଥିବା ସମୟରେ ତାହାକୁ ସାଇଲେଣ୍ଟ ମୋଡ୍ରେ ରଖିବେ। ସପ୍ତାହର ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଓ ଶନିବାର ସକାଳ ୬ଟା ୩୦ରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ବିଦ୍ୟାଳୟର ନିୟମିତ କାର୍ଯ୍ୟ ସମୟରେ କ୍ୟାମ୍ପସ ପରିସରରେ ଶିକ୍ଷକ କିମ୍ବା କୌଣସି ବ୍ୟକ୍ତିବିଶେଷ ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବେ ନାହିଁ। ଯଦି ସେଭଳି ହେଉଥିବା ନଜରକୁ ଆସେ, ତେବେ ପ୍ରଧାନଶିକ୍ଷକ ପ୍ରଥମେ ତାଗିଦ୍ କରିବେ। ନ ଶୁଣିଲେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି।ସୂଚନାଯୋଗ୍ୟ ଯେ ୨୦୧୮ରେ ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନର ଅଶ୍ଳୀଳ ଭିଡିଓ ଭାଇରାଲ୍ ହୋଇଥିଲା। ବିଦ୍ୟାଳୟ ୟୁନିଫର୍ମ ପିନ୍ଧିଥିବା ଦୁଇ ଜଣ ଛାତ୍ର ଓ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସମସ୍ତ ଶିକ୍ଷା ଅଧିକାରୀମାନଙ୍କୁ ଚିଠି ଲେଖାଯାଇଥିଲା। ଶିକ୍ଷକମାନେ ମଧ୍ୟ ମୋବାଇଲ୍ ଦ୍ବାରା ଛାତ୍ରଛାତ୍ରୀଙ୍କୁ ଅଶ୍ଳୀଳ ଭିଡିଓ ଦେଖାଉଥିବା ନେଇ ମଧ୍ୟ ବିଭିନ୍ନ ସମୟରେ ଅଭିଯୋଗ ଆସିଥିଲା।
















