ପୁରୀର ଏମାର ମଠକୁ ନିଜ ହେପାଜତକୁ ନେଲା ପୁଲିସ ପ୍ରଶାସନ

259
ADVERTISEMENT

ପୁରୀ,୩୦/୮(ଏଜେନସି) : ପୁରୀରେ ଏମାର ମଠରେ ଚାଲିଛି ଉଚ୍ଛେଦ କାମ । ଆଜି ପୁରା ମଠକୁ ନିଜ ହେପାଜତକୁ ନେଇଛି ପୁଲିସ ପ୍ରଶାସନ । ମଠ ଭିତରକୁ ଆଉ କାହାରିକୁ ପ୍ରବେଶ କରିବାକୁ ଦିଆଯାଉନି । ପୁରା ମଠ ଅଂଚଳରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ୯ ଶହ ବର୍ଷର ଏହି ପୁରୁଣା ମଠ ଉଛେଦ କାମ ଚାଲିଥିବା ବେଳେ ଗତକାଲି ଭୂତଳ ସୁଡଙ୍ଗ ଠାବ ହୋଇଥିଲା । ମଠ ଭାଙ୍ଗିବା ବଳେ ଏହା ସାମ୍ନାକୁ ଆସିବା ପରେ ସମସ୍ତଙ୍କ କୌତୁହଳ ବି ବଢ଼ୁଛି । ମଠର ପଛ ପାର୍ଶ୍ବ କାନ୍ଥକୁ ବୁଲଡୋଜର ଭାଙ୍ଗି ଭାଙ୍ଗି ଯାଉଥିବା ବେଳେ ଗତକାଲି ଏହା ଦେଖିବାକୁ ମିଳିଥିିଲା । ଏହା କେତେ ବାଟ ଯାଇଛି, ଏହା ଭିତରେ କଣ ରହିଛି ତାହା ଏବେ ବି ରହସ୍ୟ ଘେରରେ ରହିଛି । ଆଜି ଉଚ୍ଛେଦ ଆଗକୁ ବଢିବା ସହିତ ଏନେଇ ଅଧିକ ସୂଚନା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି । ତେବେ ପାଖାପାଖି ୯୨ କୋଟିର ରୁପା ଇଟାକୁ ନେଇ ଏକଦା ଚର୍ଚ୍ଚିତ ଥିବା ବିତ୍ତଶାଳୀ ଏମାର ମଠ ପୁଣି ଥରେ ଗୁପ୍ତଧନକୁ ନେଇ ଚର୍ଚ୍ଚାକୁ ଆସିଛି, ଯଦିଓ ଏହାର ସତ୍ୟତା ସଂପର୍କରେ ବର୍ତ୍ତମାନ କିଛି ସ୍ପଷ୍ଟ ହୋଇନାହିଁ। କିନ୍ତୁ ମଠ ଯେତିକି ଭାଙ୍ଗୁଛି ଜନମାନସରେ ଉତ୍କଣ୍ଠା ସେତିକି ବଢିବାରେ ଲାଗିଛି। ମଠର ପଛପାର୍ଶ୍ବ ମହନ୍ତଙ୍କ ଘର କାନ୍ଥକୁ ଲାଗି ଏକ ପରିତ୍ୟକ୍ତ କୋଠା ଭଙ୍ଗାଯିବା ବେଳେ ଏକ ରହସ୍ୟମୟ ଗମ୍ଭୀରା ଘର ଦେଖିବାକୁ ମିଳିଥିଲା। ଏହି ଗୁପ୍ତ ଘରର ରହସ୍ୟ ଫିଟି ପାରିନାହିଁ। ଉଚ୍ଛେଦ ବନ୍ଦ ରହିବା ପରେ ପ୍ରଶାସନ ଏ ବାବଦରେ ଅଧିକ ଖୋଳତାଡ ମଧ୍ୟ କରିନାହିଁ। ତେବେ ଏହି ଗୁପ୍ତ ଘରକୁ କେହି କେହି ସୁଡ଼ଙ୍ଗ କହୁଥିବା ବେଳେ ଆଉ କେହି ଏହାକୁ ଧାନ ଅମାର (କୋଠି) ବୋଲି କହୁଛନ୍ତି।
ପରିତ୍ୟକ୍ତ ଅବସ୍ଥାରେ ଥିବା ଏହି ଗୁପ୍ତ କୋଠରିଟି ୧୦ ଫୁଟ୍ ଗଭୀର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଥିବା ବେଳେ ଏହାର ଉପରି ଭାଗରେ ତାଳ କାଠ ପଡ଼ିଥିବା ଦେଖିବାକୁ ମିଳିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଗୁପ୍ତ କୋଠରି ଭିତରକୁ ପାହାଚ ରହିଛି। ତେବେ ଅନ୍ଧାର ଯୋଗୁ କୋଠରି ଭିତରେ କ’ଣ ରହିଛି ତାହା ଜଣାପଡ଼ିନାହିଁ। ପୁରୁଖା ଲୋକଙ୍କ କହିବା ଅନୁସାରେ, ଏହା କୌଣସି ଗୁପ୍ତ ସୁଡ଼ଙ୍ଗ ନୁହେଁ, ମଠର ଧାନ ଅମାର। ପୂର୍ବରୁ ଏମାର ମଠରେ ପ୍ରଚୁର ପରିମାଣରେ ଧାନ ଓ ଖାଦ୍ୟଶସ୍ୟ ସଂରକ୍ଷିତ ରହୁଥିଲା। ବିପତ୍ତି ସମୟରେ ଏମାର ମଠ ଲୋକଙ୍କୁ ଖାଦ୍ୟ ଯୋଗାଇବା ସହ ଅନ୍ନଛତ୍ର ମଧ୍ୟ ଖୋଲୁଥିଲା। ନଅଙ୍କ ଦୁର୍ଭିକ୍ଷ ସମୟରେ ଏମାର ମଠ ଏକାଧିକ ଅନ୍ନଛତ୍ର ଖୋଲି ବହୁ ଲୋକଙ୍କ ଜୀବନ ବଞ୍ଚାଇଥିଲା। ତେଣୁ ଖାଦ୍ୟଶସ୍ୟ ମହଜୁଦ୍ ରଖିବା ପାଇଁ ଏହି କୋଠି ନିର୍ମାଣ ହୋଇଥିବା କୁହାଯାଉଛି।

Advertisement