ଭଦ୍ରକ,୨୯/୮: ଭଦ୍ରକ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ଓ ବ୍ଲକ ଅଞ୍ଚଳକୁ ୨୪ ଘଣ୍ଟିଆ ଲୋକାଲ୍ ବସ୍ ଚଳାଚଳ ବନ୍ଦ ରହିଛି। ଆଜି ସକାଳ ୬ଟାରୁ ଏହି ବନ୍ଦ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ସକାଳ ୬ଟା ଯାଏ ଏହା ଲାଗୁ ରହିବ। ଭଦ୍ରକ ବସ୍ ସିଣ୍ଡିକେଟ୍ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବସ୍ ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ବିଭିନ୍ନ ଗ୍ରାମାଞ୍ଚଳ ଓ ବ୍ଲକ୍ ଅଞ୍ଚଳକୁ ଲୋକାଲ୍ ବସ୍ ଗୁଡ଼ିକ ଚଳାଚଳ କରୁଛି। ହେଲେ ଏହି ସବୁ ରୁଟ୍ରେ ବହୁ ସଂଖ୍ୟାରେ ଟାଟା ଏସି, ଟାଟା ମ୍ୟାଜିକ୍ ଗାଡ଼ି ମଧ୍ୟ ଯାତାୟତ କରୁଛି। ତେବେ ଲୋକାଲ୍ ବସ୍ ପହଞ୍ଚିବା ପୂର୍ବରୁ ଏହି ଗାଡ଼ି ଗୁଡ଼ିକ ଯାତ୍ରୀଙ୍କୁ ଉଠାଇ ନେଉଛନ୍ତି। ଯେଉଁଥିପାଇଁ ବସ୍ ଗୁଡ଼ିକ ଖାଲିରେ ଯିବା ସହ ଏହାର ମାଲିକଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡୁଛି ବୋଲି ଅଭିଯୋଗ ହୋଇଛି। ଏନେଇ ଆଞ୍ଚଳିକ ପରିବହନ ନିଗମ, ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ଶେଷରେ ବାଧ୍ୟ ହୋଇ ଭଦ୍ରକ ବସ୍ ସିଣ୍ଡିକେଟ୍ ଲୋକାଲ୍ ରୁଟ୍ରେ ବସ୍ ଚଳାଚଳ ବନ୍ଦ କରିଛି।

















