ପାନୀୟ ଜଳ ପ୍ରକଳ୍ପ ଅଚଳ, ପିଇବା ପାଣି ପାଇଁ ଲୋକେ ହନ୍ତସନ୍ତ

229
ADVERTISEMENT

ନିରାକାରପୁର,୨୯/୮ : ଗ୍ରାମାଞ୍ଚଳର ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ବିଭାଗୀୟ ଅଧିକାରୀଙ୍କଉଦାସୀନତା ସାଙ୍ଗକୁ ପରିଚାଳନା ଗତ ତ୍ରୁଟି ଯୋଗୁଁ ବହୁ ସ୍ଥାନରେ ପାନୀୟ ଜଳ ପ୍ରକଳ୍ପ ଲୋକଙ୍କ ସେବାରେ ଲାଗୁ ନାହିଁ। ସ୍ଥାନୀୟ ଡିଆ ପଞ୍ଚାୟତ ଅନ୍ତର୍ଗତ କାଶୀପୁରଠାରେ ଥିବା ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପରେ ଲଗାଯାଇଥିବା ପାଣି ପମ୍ପ୍‌ ମଧ୍ୟରୁ ୨ଟି ଅଚଳ ହୋଇ ପଡ଼ିଥିବା ବେଳେ ଏହାର ମରାମତି ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଫଳରେ ଦୀର୍ଘ ଦିନ ହେବ ପଞ୍ଚାୟତର ଲୋକେ ପିଇବା ପାଣି ଟୋପାଏ ପାଇଁ ଡହଳବିକଳ ହେଉଛନ୍ତି।

ସ୍ଥାନୀୟ ଡିଆ ପଞ୍ଚାୟତ ଅନ୍ତର୍ଗତ କାଶୀପୁରଠାରେ ୭ଟି ୱାର୍ଡର ଲୋକଙ୍କ ପାଇଁ ବିଭାଗ ପକ୍ଷରୁ ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବିନିମୟରେ ଏକ ଲକ୍ଷ ଲିଟର କ୍ଷମତାସମ୍ପନ୍ନ ଏକ ପାଣିଟାଙ୍କି ନିର୍ମାଣ କରାଯାଇଥିଲା । ହେଲେ ଏଥିରେ ବ୍ୟବହୃତ ୩ଟି ମଟର ମଧ୍ୟରୁ କିଛିଦିନ ହେଲା ୨ଟି ମଟର ଅକାମୀ ହୋଇ ଯାଇଛି। ଫଳରେ ଗ୍ରାମବାସୀମାନେ ପାଣି ଦିନେ ପାଇଲେ ଆଉଦିନେ ପାଉ ନାହାଁନ୍ତି। ବର୍ଷା ଋତୁ ଚାଲିଥିଲେ ସୁଦ୍ଧା ଏହି ଅଚଳ ପାଣିପମ୍ପର ମରାମତି ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଫଳରେ ବାଧ୍ୟବାଧକତାରେ ଅଧିକାଂଶ ଲୋକ ଖୋଲା କୂଅ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। କିଛିଦିନ ପୂର୍ବରୁ ଏହି ଗ୍ରାମରେ କାମଳ ରୋଗରେ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ଲୋକ ଆକାନ୍ତ ହୋଇଥିଲେ । ତେଣୁ ପୁଣି କାମଳ ସହିତ ଅନ୍ୟାନ୍ୟ ଜଳ ସଂକ୍ରମିତ ରୋଗ ବ୍ୟାପିବା ନେଇ ଲୋକେ ଆଶଙ୍କା କରୁଛନ୍ତି। ଏ ସମ୍ପର୍କରେ ଜଳଯୋଗାଣ ପ୍ରକଳ୍ପ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ପଚାରିବାରୁ ସେ କହିଥିଲେ ଯେ, ୨ଟି ପାଣି ପମ୍ପ୍‌ ଅଚଳ ଥିବାରୁ ଗୋଟିଏ ପମ୍ପ ଦ୍ବାରା ଲୋକମାନଙ୍କୁ ଯେତିକି ସମ୍ଭବ ସେତିକି ପାଣି ଦିଆଯାଉଛି। ତେବେ ପମ୍ପ କେବେ ମରାମତି ହେବ ସେ ସମ୍ପର୍କରେ ସେ କିଛି କହି ପାରି ନ ଥିଲେ।

Advertisement