ମାଲକାନଗିରି,୨୯/୮ : ୧୦ ବର୍ଷ ଧରି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଆତଙ୍କରାଜ ଚଳାଇଥିବା ନକ୍ସଲ କମାଣ୍ଡର ରାକେଶ ସୋଡ଼ି ନିହତ ହୋଇଛି। ମାଲକାନଗିରି ଜିଲ୍ଲା ପାକନାଗୁଡ଼ା ସ˚ରକ୍ଷିତ ଜ˚ଗଲରେ ଆଜି ସକାଳେ ପୁଲିସ୍-ମାଓବାଦୀ ଗୁଳି ବିନିମୟ ବେଳେ ରାକେଶ ନିହତ ହୋଇଥିବା ପୁଲିସ୍ ଡିଜି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି। ଗୁଳି ବିନିମୟ ବେଳେ ଜଣେ ଡିଭିଏଫ୍ (ଡିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟର ଫୋର୍ସ) କମାଣ୍ତାଣ୍ଟ ଜୟରାମ କବାସି ସହିଦ ହୋଇଛନ୍ତି। ଡିଭିଏଫ୍ ଯବାନ ରାମୁ ଦୁରୁଆ ମଧ୍ୟ ଗୁରୁତର ଆହତ ହୋଇ ବିଶାଖାପାଟଣା ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି।
ରାକେଶ ଛତିଶଗଡ଼ ସୁକମା ଜିଲ୍ଲାର ମୂଳ ବାସିନ୍ଦା। ସେ ଆନ୍ଧ୍ର-ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର ମିଲିଟାରୀ ପ୍ଲାଟୁନ୍ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲା, ଯାହାକୁ କି ଡିଭିଜନାଲ୍ କମାଣ୍ଡର ବୋଲି କୁହାଯାଉଛି। ଗତ ୧୦ ବର୍ଷ ମଧ୍ୟରେ ରାକେଶ ମୋଟ ୩୬ ଜଣ ପୁଲିସ ଅଧିକାରୀ ଓ ୨ ଜଣ ବିଧାୟକଙ୍କୁ ହତ୍ୟା କରିଥିବାବେଳେ ଏକାଧିକ ବିସ୍ଫୋରଣରେ ସମ୍ପୃକ୍ତ।

















