ରାଉରକେଲା,୨୯/୮(ଏଜେନସି ) : ଦୁଇ ଦେଶ ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଖୁବ୍ଶୀଘ୍ର ପାକିସ୍ତାନକୁ ପଦଯାତ୍ରା କରିବେ ରାଉରକେଲାର ଯୁବ ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ୱାଳ। ଏ ନେଇ ବୁଧବାର ସେକ୍ଟର-୨ ସେହେନାଇ ମଣ୍ଡପରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି । ମୁକ୍ତିକାନ୍ତ ଏବେ ୩ହଜାର ୨ଶହ କି.ମି. ଚାଲି ଚାଲି ପାକିସ୍ତାନ ଯିବା ଘୋଷଣା କରିବା ପରେ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ଖବରଦାତା ସମ୍ମିଳନୀରେ ମୁକ୍ତିକାନ୍ତଙ୍କ ସମେତ ରାଉରକେଲା ଯୁବ ଜାଗୃତି ମଞ୍ଚ ଆବାହକ ଗୋପାଳ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଜେନା କହିଥିଲେ, ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସୁସମ୍ପର୍କ ଅନିବାର୍ଯ୍ୟ ହୋଇପଡ଼ିଛି। ଏଥିସହ ଯୁବପିଢ଼ିଙ୍କୁ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟବୋଧ ପ୍ରତି ସଚେତନା କରାଇବା ସମୟ ଆସିଛି। ଏପରିସ୍ଥଳେ ମୁକ୍ତିକାନ୍ତଙ୍କ ପାକିସ୍ତାନ ପଦଯାତ୍ରା ଉଭୟ ଦେଶର ଯୁବପିଢ଼ିଙ୍କୁ ଜାଗ୍ରତ କରିବ ବୋଲି ଜେନା କହିଥିଲେ। ସଫଳତା ବିଫଳତାକୁ ପ୍ରସଙ୍ଗ ନ କରି ସେ ନିଜ ଲକ୍ଷ୍ୟ ପଥରେ ଆଗେଇବାକୁ ନିଷ୍ପତ୍ତି କରିଥିବାରୁ ଜେନା ତାଙ୍କୁ ସ୍ବାଗତ କରିଥିଲେ। ପାକିସ୍ତାନରେ ପହଞ୍ଚିବାକୁ ତାଙ୍କୁ ୬ ମାସ ସମୟ ଲାଗିବ। ଉଭୟ ଦେଶବାସୀଙ୍କ ମଧ୍ୟରେ ଶାନ୍ତିର ଭାବନା ଜାଗ୍ରତ କରିବା ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଏ ନେଇ ମୁକ୍ତିକାନ୍ତ ଉଭୟ ଭାରତ ଓ ପାକିସ୍ଥାନ ସରକାରଙ୍କ ଅନୁମତି ଲୋଡ଼ିଥିଲେ। ଖୁବ୍ଶୀଘ୍ର ଅନୁମତି ମିଳିଯିବ ବୋଲି ଆଶା କରାଯାଉଥିବା ଜେନା କହିଛନ୍ତି।

















