ଜିପିଏଫ୍‌ ପାଇଁ ଆଉ ଦୌଡ଼ିବାକୁ ପଡ଼ିବ ନାହିଁ

365
ADVERTISEMENT

ଭୁବନେଶ୍ୱର,୨୯/୮(କୁନାପ୍ରଧାନ) : ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଅବସର ପରେ ନିଜର ଜିପିଏଫ୍‌ (ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ) ପ୍ରାପ୍ୟ ପାଇବାରେ ଆଉ ଅସୁବିଧା ହେବ ନାହିଁ। ଏଣିକି ଏସବୁ ଇଲେକ୍ଟ୍ରୋନିକ(ଇ)-ଅଥରିଟି ମାଧ୍ୟମରେ ସମ୍ପାଦନ ହେବ। ପ୍ରଚଳିତ ପୁରୁଣା ମାନୁଆଲ ପଦ୍ଧତି ଉଠିଯିବ। ଚାକିରି ପରେ କର୍ମଚାରୀମାନେ ଘରେ ବସି ନିଜର ଚୂଡାନ୍ତ ଜିପିଏଫ୍‌ର ଷ୍ଟାଟସ୍‌ ଜାଣିପାରିବେ। ଆଉ କାଗଜପତ୍ର ଯୋଗାଡ଼ କରିବାକୁ ପଡିବ ନାହିଁ କିମ୍ବା ଏଜି ଅଫିସକୁ ବାରମ୍ବାର ଦୌଡ଼ିବାକୁ ପଡିବ ନାହିଁ। ଇ-ଅଥରିଟି କାର୍ଯ୍ୟକାରୀ କରିବା ପୂର୍ବରୁ କର୍ମଚାରୀମାନଙ୍କର ସମସ୍ତ ବିବରଣୀ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ(ଏଜି)ଙ୍କ ନିକଟକୁ ପଠାଇବାକୁ ଅର୍ଥ ବିଭାଗ ସମସ୍ତ ବିଭାଗକୁ ଚିଠି ଲେଖି ଜଣାଇ ଦେଇଛି। କର୍ମଚାରୀମାନଙ୍କର ଚୂଡ଼ାନ୍ତ ଜିପିଏଫ୍‌ ଇଲେକ୍ଟ୍ରୋନିକ୍‌ ଟ୍ରାନ୍ସଫର ବ୍ୟବସ୍ଥା ଦ୍ୱାରା କରାଯିବ। ଇ-ଅଥରିଟି ଏଜିଙ୍କ ଦ୍ୱାରା ପ୍ରସ୍ତୁତ ହେବ। ସୂଚନା ପ୍ରଯୁକ୍ତି ଆଇନ-୨୦୦୦ ଅନୁଯାୟୀ ଇ-ଅଥରିଟିରେ ଏଜି କାର୍ଯ୍ୟାଳୟର କ୍ଷମତା ସମ୍ପନ୍ନ ଅଧିକାରୀଙ୍କ ଡିଜିଟାଲ ଦସ୍ତଖତ ରହିବ। ଏହାକୁ ଇଣ୍ଟିଗ୍ରେଟେଡ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ ସିଷ୍ଟମ(ଆଇଏଫ୍‌ଏମ୍‌ଏସ୍‌) ଓଡ଼ିଶାରେ ଅପଲୋଡ୍‌ କରାଯିବ। ଏହାଦ୍ୱାରା ଚୂଡାନ୍ତ ଜିପିଏଫ୍‌ ଇ-ଅଥରିଟି ସମ୍ପୃକ୍ତ (ଡ୍ରଇଂ ଆଣ୍ଡ ଡିସ୍‌ବର୍ସିଂ ଅଫିସର) ଡିଡିଓ ଏବଂ ଟ୍ରେଜେରି ନିକଟରେ ଉପଲବ୍ଧ ହେବ। ଇ-ଅଥରିଟି ଡାଉନଲୋଡ୍‌ କରିବା ପରେ ଡିଡିଓ ଚୂଡାନ୍ତ ଜିପିଏଫ୍‌ ବିଲ୍‌ ଅନ୍‌ଲାଇନ୍‌ ମାଧ୍ୟମରେ ପ୍ରସ୍ତୁତ କରିବେ। ଏହାକୁ ସେ ଟ୍ରେଜେରିକୁ ପଠାଇବେ। ଫଳରେ ଜିପିଏଫ୍‌ ଅର୍ଥ ସିଧାସଳଖ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଯିବ। ଜିପିଏଫ୍‌ ପାଇବା ନେଇ ଦେଖାଦେଉଥିବା ସମସ୍ୟା ଦୂର ହୋଇପାରିବ।
ଏହା ମାନୁଆଲ ଢଙ୍ଗରେ ହେଉଥିବାରୁ ସମୟ ସାପେକ୍ଷ ହେଉଥିଲା। ଇ-ଅଥରିଟି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଚୂଡାନ୍ତ ଜିପିଏଫ୍‌ ମିଳିବା ସହଜ ହେବ ଓ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଶୀଘ୍ର ମିଳି ପାରିବ ବୋଲି ଅର୍ଥ ବିଭାଗର ଜଣେ ଅଧିକାରୀ କହିଛନ୍ତି ।

Advertisement