ହାଇକୋର୍ଟରେ ଭୁବନେଶ୍ୱର ରାମମନ୍ଦିର ପରିଚାଳନା ମାମଲା: ପରିଚାଳନା ଦାୟିତ୍ୱରେ ରହିବେ ନିର୍ବାହୀ ଅଧିକାରୀ

287
ADVERTISEMENT

ଭୁବନେଶ୍ୱର,୨୯/୮(କୁନା ପ୍ରଧାନ ) : ଭୁବନେଶ୍ୱର ରାମମନ୍ଦିର ପରିଚାଳନା କରିବାକୁ ଜଣେ ନିର୍ବାହୀ ଅଧିକାରୀଙ୍କୁ ହାଇକୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଚୂଡ଼ାନ୍ତ ଶୁଣାଣି ଶେଷ ନ ହେବା ପର୍ଯ୍ୟନ୍ତ ନିର୍ବାହୀ ଅଧିକାରୀ ଭାବେ ବିମଳ କୁମାର ପାତ୍ର ଦାୟିତ୍ୱ ତୁଲାଇବେ ବୋଲି ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି । ଦେବୋତ୍ତର ବିଭାଗ ପକ୍ଷରୁ ଗତ ଜାନୁୟାରୀ ମାସଠାରୁ ଏକ ଅନ୍ତରୀଣ ଟ୍ରଷ୍ଟବୋର୍ଡକୁ ପରିଚାଳନା ଦାୟିତ୍ୱ ଦିଆଯାଇଥିବାବେଳେ କୋର୍ଟ ଏହାଠାରୁ ସମସ୍ତ କ୍ଷମତା ଆସନ୍ତା ସେପ୍ଟେମ୍ବର ୧୧ତାରିଖ ପର୍ଯ୍ୟନ୍ତ କାଢି ନେଇଛନ୍ତି। ଆସନ୍ତା ୧୧ ତାରିଖରେ ଚୂଡ଼ାନ୍ତ ଶୁଣାଣି ହେବ ଓ ଏଥିରେ କୋର୍ଟ ଅନ୍ତରୀଣ ଟ୍ରଷ୍ଟବୋର୍ଡ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଜଣାଇବେ। ରାମମନ୍ଦିର ସେବା ସମିତି ଟ୍ରଷ୍ଟ ପକ୍ଷରୁ ରୁଜୁ ଏକ ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍‌ ସଞ୍ଜୁ ପଣ୍ଡା ଓ ଜଷ୍ଟିସ୍‌ ପ୍ରମଥ ପଟ୍ଟନାୟକଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ୧୯୬୯ ମସିହାରେ ଭୁବନେଶ୍ୱରସ୍ଥ ରାମମନ୍ଦିର ଛକଠାରେ ସରକାରୀ ଜମିକୁ ଲିଜ୍‌ ନେଇ ରାମମନ୍ଦିର ସେବା ସମିତି ଟ୍ରଷ୍ଟ ଏଠାରେ ମନ୍ଦିର ନିର୍ମାଣ କରିଥିଲା। ରାମମନ୍ଦିର ସେବା ସମିତି ହାତରେ ମନ୍ଦିର ପରିଚାଳନା ଦାୟିତ୍ୱ ରହିଥିଲା। ମାତ୍ର ଦେବୋତ୍ତର କମିଶନଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜରିଆରେ ଗତ ଜାନୁୟାରୀରେ ପୁରୁଣା ଟ୍ରଷ୍ଟକୁ ଭଙ୍ଗାଯାଇ ଏକ ଅସ୍ଥାୟୀ ଟ୍ରଷ୍ଟବୋର୍ଡ଼ ଗଠନ କରାଯାଇଥିଲା। ଏହାକୁ ବିରୋଧ କରି ରାମମନ୍ଦିର ସେବା ସମିତି ଟ୍ରଷ୍ଟ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା।

Advertisement