ଭୁବନେଶ୍ବର,୨୯/୮(କୁନା ପ୍ରଧାନ ) :ଜଣକ ପରେ ଜଣେ ଓଡ଼ିଆ ପ୍ରତିଭା ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରି ରାଜ୍ୟ ପାଇଁ ଗୌରବ ଆଣୁଛନ୍ତି। ବିଶ୍ୱ ଯୁବ ସମ୍ମିଳନୀରୁ ଆରମ୍ଭକରି ଲିଟିଲ୍ ମିସ୍ ୟୁନିଭର୍ସ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ନିଜ ପ୍ରତିଭା ପ୍ରତିପାଦନ କରୁଛନ୍ତି ଓଡ଼ିଆ । ଏବେ ଅନ୍ତର୍ଜାତୀୟସ୍ତରରେ ଲିଟିଲ୍ ମିସ୍ ଭାବରେ ପୁଣି କମାଲ କରିଛନ୍ତି ୧୦ ବର୍ଷର ଓଡ଼ିଆ ଝିଅ ସରନ୍ୟା ସାମନ୍ତରାୟ। ନିକଟରେ ହଂକଂରେ ଆୟୋଜିତ ଏହି ପ୍ରତିଯୋଗିତାରେ ସରନ୍ୟା ଭାରତରୁ ପ୍ରତିନିଧିତ୍ୱ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ୨୨ଟି ଦେଶକୁ ନେଇ ଆୟୋଜିତ ଏହି ଲିଟିଲ୍ ମିସ୍ ପ୍ରତିଯୋଗିତାରେ ମୋଟ ୬୪ଜଣ ପ୍ରତିନିଧି ଭାଗ ନେଇଥିଲେ। ଭୁବନେଶ୍ୱରସ୍ଥିତ ସେଣ୍ଟ୍ ଯୋଶେଫ ହାଇସ୍କୁଲ୍ରେ ୫ମ ଶ୍ରେଣୀରେ ପଢୁଥିବା ସରନ୍ୟା ଏଥିରେ ନିଜର ପ୍ରତିଭା, ଦକ୍ଷତା ଓ ବୁଦ୍ଧିମତ୍ତା ବଳରେ ପ୍ରଥମ ରନର୍ସଅପ୍ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।
ଗତ ଏପ୍ରିଲ୍ ମାସରେ କେରଳର କୋଝିକୋଡଠାରେ ସର୍ବଭାରତୀୟସ୍ତରର ପ୍ରତିଯୋଗିତା ହୋଇଥିଲା। ସେଥିରେ ସରନ୍ୟା ପ୍ରଥମ ରନର୍ସ ଅପ୍ ହୋଇ ହଂକଂ ଯିବା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଏହାପରେ ଅଗଷ୍ଟ ୨୩ରୁ ୨୭ ପର୍ଯ୍ୟନ୍ତ ହଂକଂରେ ଫାଇନାଲ୍ ରାଉଣ୍ଡ୍ ଅନୁଷ୍ଠିତ ହୋଇଥିଲା। ସରନ୍ୟା ଫାଇନାଲ ରାଉଣ୍ଡରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ ଟ୍ୟାଲେଣ୍ଟ ରାଉଣ୍ଡ୍ରେ ଟପ୍-୫ରେ ରହିଥିଲେ। ବୁଧବାର ସରନ୍ୟା ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନ ବନ୍ଦରରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

















