ଆର. ଉଦୟଗିରି ,୨୭/୮(ପ୍ରଭାତ କୁମାର ପାତ୍ର) : ଆର. ଉଦୟଗିରି ଠାରୁ ୩କିମି ଦୂରରେ ଥିବା ବାଦପୁର ଘାଟିରେ ସୋମବାର ଦିନ ୧୦ ଘଣ୍ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତ ଜଣକ ହେଲେ ଅନୁଗୁଳ ଗ୍ରାମର ବନ୍ଧୁ ମାଝି(35) ଓ ଅନ୍ୟ ଦୁଇ ଜଣ ହେଲେ ଟ୍ରକ ଡ୍ରାଇଭର ରାଜୁ ରାଓ(48) ଓ ହେଲପର ପି. ଲକ୍ଷ୍ମଣ ରାଓ (45) । ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆର. ଉଦୟଗିରି ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା ସେଠାରେ ଡାକ୍ତର ବାଇକ୍ ଚାଳକକୁ ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସୂଚନା ମୁତାବକ ପାରଳାଖେମୁଣ୍ଡି ପଟୁ ଆସୁଥିବା ପାଇପ ବୋଝେଇ ଟ୍ରକ୍ (ଏପି୧୬ୟ୪୫୭୮) ଦ୍ରୁତ ଗତିରେ ଆସୁଥିବା ବେଳେ ରା. ଉଦୟଗିରି ପଟୁ (ଓଡି୧୮ଏ୩୨୯୪) ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍ ଚାଳକ ଉପରେ ଟ୍ରକରେ ଥିବା ହୋମ୍ ପାଇପ ଖସି ଚାପି ହୋଇଯାଇଥିଲା। ଏବଂ ଡ୍ରାଇଭର ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା କାନ୍ଥରେ ଟ୍ରକଟି ପିଟି ହୋଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ମୃତକର ପରିଚୟ ଚିହ୍ନଟ କରିଥିଲା । ଏହି ଘଟଣାକୁ ପୋଲିସ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।
















