ଗଞ୍ଜାମ ,୨୩/୮(ଋଷିକେଶ ବେହେରା ):-ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଗଞ୍ଜାମ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସ୍ମରଣିକା ହୋତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶକ୍ତିଶ୍ରୀ ସେଲ୍ ପକ୍ଷରୁ ଶକ୍ତିଶ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରଟି ଗତ ୧୭ ରୁ ୨୨ ତାରିଖ ପର୍ଯ୍ୟନ୍ତ ଛଅ ଦିନ ଧରି ଚାଲିଥିଲା। ମହାବିଦ୍ୟାଳୟର ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରର ସଂଯୋଜିକା ଡ. ଅନିତା ଦଳାଇ ଏବଂ ସହ-ସଂଯୋଜିକା ସୁଶ୍ରୀ ଅରୁନ୍ଧତୀ ସିଂହଙ୍କ ସଂଯୋଜନାରେ ଏହି ପ୍ରଶିକ୍ଷଣ ଶିବିରଟି ଅନୁଷ୍ଠିତ ହୋଇଥିଲା।ଏହି ପ୍ରଶିକ୍ଷଣ ଶିବିରର ଉଦ୍ଯାପନ ସମାରୋହରେ ମହାବିଦ୍ୟାଳୟର NCC ଅଫିସର ଡ. ଦୁର୍ଗା ପ୍ରସାଦ ଦାଶ ଯୋଗଦେଇ ଛାତ୍ରୀମାନଙ୍କର ମନୋବଳ ବୃଦ୍ଧି କରିବା ସହ ସେମାନଙ୍କୁ ଆତ୍ମବିଶ୍ୱାସର ସହିତ ଆତ୍ମସୁରକ୍ଷା କୌଶଳ ଶିଖିବା ପାଇଁ ପ୍ରେରଣା ଦେଇଥିଲେ।ପ୍ରଶିକ୍ଷିକା ଭାବେ ବ୍ଲାକ୍ ବେଲ୍ଟ ଉପାଧିପ୍ରାପ୍ତ ସୁଶ୍ରୀ ମାମିନା ରାଣୀ ବେହେରା ଛାତ୍ରୀମାନଙ୍କୁ ଛଅ ଦିନ ଧରି ବିଭିନ୍ନ ଆତ୍ମସୁରକ୍ଷା କୌଶଳର ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଛଅ ଦିନର ପ୍ରଶିକ୍ଷଣରେ ନିମ୍ନଲିଖିତ କାର୍ଯ୍ୟକ୍ରମଗୁଡ଼ିକ ଅନୁଷ୍ଠିତ ହୋଇଥିଲା
୧ମ ଦିନ – ପରିଚୟ ଓ ଶାରୀରିକ ପ୍ରସ୍ତୁତି
୨ୟ ଦିନ – ପଡ଼ିବା କୌଶଳ, ଭୂମି ନିୟନ୍ତ୍ରଣ ଓ ଆକ୍ରମଣାତ୍ମକ ଅଭ୍ୟାସ
୩ୟ ଦିନ – ଧରିବାରୁ ମୁକ୍ତି (ଠିଆ ଓ ଭୂମିରେ)
୪ର୍ଥ ଦିନ – କେଶ ଓ ବେକ ଧରାରୁ ମୁକ୍ତି
୫ମ ଦିନ – ଗାର୍ଡ, ମାଉଣ୍ଟ ଓ ମୁଷ୍ଟି ପ୍ରତିରୋଧ
୬ଷ୍ଠ ଦିନ – ପୁନରାବୃତ୍ତି ଓ ପରିସ୍ଥିତିଭିତ୍ତିକ ଅଭ୍ୟାସ
ମହାବିଦ୍ୟାଳୟର ଅଧ୍ୟାପକ ଜେ. ସୂର୍ଯ୍ୟ ନାରାୟଣ ଆଚାରୀ, ବିଭୁ ପ୍ରସାଦ ପାତ୍ର, ଖୁସୁବୁ ନାଜ୍, ହିମାଂଶୁ ଶେଖର ନାହାକ ଏବଂ ଏନ୍. ରଘୁନାଥ ରେଡ୍ଡୀଙ୍କ ସହଯୋଗରେ ଏହି ଛଅ ଦିନିଆ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିରଟି ସଫଳତାର ସହ ଉଦ୍ଯାପିତ ହୋଇଥିଲା।
















