ଗଞ୍ଜାମ,୨୦।୦୮(ଋଷିକେଶ ବେହେରା):-ଗଞ୍ଜାମ ଥାନା ତଥା ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚଯାତ ପୁରୁଣା ବନ୍ଧ ଗ୍ରାମ ନିକଟସ୍ଥ ଋଷିକୁଲ୍ୟା ନଦୀରୁ ବୁଧବାର ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି l ଗଙ୍ଗାଦେବୀ ମନ୍ଦିର ସମ୍ମୁଖ ନଦୀ ଜଳରେ ସକାଳେ ଜଣେ ମହିଳାଙ୍କ ମୃତ ଦେହ ଓ ଅପରାହ୍ନରେ ଜୈନେକ ବ୍ୟକ୍ତିଙ୍କ ମୃତ ଦେହ ଭାସୁଥିବା ନେଇ ସ୍ଥାନୀୟ ମତ୍ସ୍ୟଜୀବୀ ଦେଖି ଗଞ୍ଜାମ ଥାନାକୁ ଖବର ଦେଇଥିଲେ l ଖବର ପାଇ ଗଞ୍ଜାମ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ୱାରା ନଦୀରୁ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା l ମହିଳା ଜଣକଙ୍କ ପରିଚୟ ମିଳି ପାରିନଥିବା ବେଳେ ଆନୁମାନିକ ବୟସ ୨୫ ହେବ ଏବଂ ମୃତ ମହିଳା ଆର୍ମି ଡ୍ରେସ ପିନ୍ଧିଥିବା ଦେଖିବାକୁ ମିଳିଛି l ମୃତ ଦେହ ଉଦ୍ଧାର ପରେ ବ୍ୟବଛେଦ ନିମନ୍ତେ ମେଡିକାଲ ପଠାଇଛି ଗଞ୍ଜାମ ଥାନା ପୋଲିସ l

ସେହିପରି ଅପରାହ୍ନ ସମୟରେ ଗଞ୍ଜାମ ଥାନା ପୁଲିସ ଜେଟି ଘର ନିକଟସ୍ଥ ନଦୀ ଜଳରୁ ଜୈନେକ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର କରି ତଦନ୍ତ କରୁଥିବା ଜଣାପଡିଛି l ମୃତ ବ୍ୟକ୍ତିଙ୍କ ଅନୁମାନିକ ବୟସ ୨୮ବର୍ଷ ହେବ ବୋଲି ପୁଲିସ କହିଛି l ବ୍ୟକ୍ତି ଜଣଙ୍କ ହାତରେ ଗୋଟିଏ ଚୁନୁରୀ ବନ୍ଧା ଯାଇଥିବା ଦେଖିବାକୁ ମିଳିଛି l ଗୋଟିଏ ଦିନରେ ଦୁଇ ଦୁଇଟି ଶବ ଉଦ୍ଧାରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି l

















