ନୂଆଦିଲ୍ଲୀ/ଭୁବନେଶ୍ୱର,୨୬/୮(ରବି ଦାସ) : ମାଓ ମୁକାବିଲା ରଣନୀତି ନେଇ ଦିଲ୍ଲୀରେ ଆଜି ହୋଇଥିବା ବୈଠକରେ ଭିତ୍ତିଭୂମିର ବିକାଶକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଟେଲିଫୋନ୍ ଓ ବ୍ୟାଙ୍କିଂ ସେବା ସହିତ ରେଳ ଯୋଗାଯୋଗ କରିବାକୁ ସେ ଦାବି ଉଠାଇଛନ୍ତି । ବୈଠକ ପରେ ନବୀନ କହିଛନ୍ତି, ବ୍ୟାଙ୍କିଂ ବ୍ୟବସ୍ଥା ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ମାଲକାନଗିରିରୁ ନବରଙ୍ଗପୁରକୁ ରେଳ ସଂଯୋଗ ପାଇଁ ମଧ୍ୟ କେନ୍ଦ୍ର ନିକଟରେ ଦାବି କରାଯାଇଛି। ନବୀନ ଆହୁରି କହିଛନ୍ତି ଯେ, ମାଲକାନଗିରିରୁ ନବରଙ୍ଗପୁରକୁ ରେଳ ସଂଯୋଗ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଲେ, ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇଦେବେ। ଏହା ସହିତ ପ୍ରକଳ୍ପର ଅଧା ଖର୍ଚ୍ଚ କରିବେ। ସୂଚନାଯୋଗ୍ୟ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ମାଓ ମୁକାବିଲା ନେଇ ଆଜି ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ଓଡ଼ିଶା ସମେତ ଅନ୍ୟ ମାଓ ପ୍ରଭାବିତ ରାଜ୍ୟର ସୁରକ୍ଷା ଓ ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା। ସେହି ରାଜ୍ୟଗୁଡ଼ିକ ହେଲା-ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର, ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ତେଲେଙ୍ଗାନା। ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ନବୀନଙ୍କ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଓ ପୁଲିସ ଡିଜି ବିଜୟ ଶର୍ମା ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।

















