ପୁରୀ ରାସ୍ତାକଡ଼ରୁ ହଟିବ ଅବରୋଧ : ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସର୍କିଟ୍ ହାଉସ୍‌ରେ ବସିଲା ଗୁପ୍ତ ବୈଠକ

540
????????????????????????????????????
ADVERTISEMENT

ପୁରୀ,୨୬/୮(ଏଜେନସି) : ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଓ ବେଳାମାର୍ଗ ପରେ ଜିଲ୍ଲା ପ୍ରଶାସନ ଏବେ ରାସ୍ତାକଡ଼ ଜବରଦଖଲ ଉପରେ ନଜର ପକାଇଛି। ଖୁବଶୀଘ୍ର ପୁରୀ ସହର ଭିତରେ ଥିବା ରାସ୍ତାକଡ଼ ଜବରଦଖଲ ଉଚ୍ଛେଦ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଏଥି ପାଇଁ ସ୍ଥାନ ଚିହ୍ନଟ ଚାଲିଛି। ଚିହ୍ନଟ ପ୍ରକ୍ରିୟା ଶେଷ ପରେ ଖୁବଶୀଘ୍ର ଉଚ୍ଛେଦ ଅଭିଯାନ ଆରମ୍ଭ ହେବ। ପୁରୀ ପୌରସଂସ୍ଥାକୁ ଏହି ଦାୟିତ୍ବ ଦିଆଯାଇଛି। ପୌରସଂସ୍ଥା ରିପୋର୍ଟ ଆଧାରରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ। ସିଟି ରୋଡରୁ ହିଁ ଏହି ଅଭିଯାନ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଏ ନେଇ ଆଜି ପୁରୀ ସ୍ବତନ୍ତ୍ର ସର୍କିଟ୍ ହାଉସଠାରେ ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଗୁପ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର, ଜିଲ୍ଲାପାଳ ବଲୱନ୍ତ ସିଂ, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକକୁ ଆରଆଇ, ଅମିନ ପ୍ରମୁଖଙ୍କୁ ଡକାଯାଇ ସହରର ଜବରଦଖଲ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଆଲୋଚନା ବେଳେ ମତପ୍ରକାଶ ପାଇଥିଲା କି ସହରରେ ଜବରଦଖଲକାରୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଜବରଦଖଲକାରୀଙ୍କ ଯୋଗୁଁ ରାସ୍ତା ସଂକୁଚିତ ହେବା ସହ ଜଟିଳ ଟ୍ରାଫିକ୍ ସମସ୍ୟା ଉପୁଜୁଛି । ଜବରଦଖଲକାରୀଙ୍କ ଯୋଗୁଁ ସରକାରୀ ଜାଗା ବି କମି କମି ଚାଲିଛି। ଏସବୁକୁ ଆଖି ଆଗରେ ରଖି ରାସ୍ତାକଡ଼ ଜବରଦଖଲକୁ ଉଚ୍ଛେଦ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସମସ୍ତ ଅଧିକାରୀଙ୍କୁ ଏ ନେଇ ପ୍ରସ୍ତୁତ ହେବାକୁ ନିର୍ଦେଶ ଦିଆଯାଇଛି। ମିଳିଥିବା ସୂଚନା ମୁତାବକ, ସହର ଭିତରେ ଥିବା ସବୁ ଗଳିକନ୍ଦିର ଟିକିନିଖି ଯାଞ୍ଚ କରାଯିବ। କାଗଜପତ୍ର ଦେଖି କେଉଁଠି କିଏ, କିପରି ଜବରଦଖଲ କରିଛି, ତାର ରିପୋର୍ଟ ପ୍ରସ୍ତୁତ ହେବ। ଚୂଡ଼ାନ୍ତ ରିପୋର୍ଟ ପରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହେବ। ଏ ସଂପର୍କରେ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ କହିଛନ୍ତି, ସହରରେ ବଢ଼ି ଚାଲିଥିବା ଜବରଦଖଲ ଉଚ୍ଛେଦ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସହର ଭିତରେ ରାସ୍ତାକଡ଼ ଓ ଅନ୍ୟାନ୍ୟ ସରକାରୀ ଜାଗାରେ ଯେଉଁ ଜବରଦଖଲ ସବୁ ରହିଛି ତାକୁ ହଟାଯିବ। ପୁରୀ ପୌରସଂସ୍ଥାକୁ ଏହି ଦାୟିତ୍ବ ଦିଆଯାଇଛି। ପୌରସଂସ୍ଥା ସ୍ଥାନ ଚିହ୍ନଟ କରି ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିବ ବୋଲି ସେ କହିଛନ୍ତି।

Advertisement