ଭୁବନେଶ୍ବର,୨୬/୮(କୁନା ପ୍ରଧାନ) : ଭୁବନେଶ୍ୱର ବମିଖାଲ ଫ୍ଲାଏଓଭର ନିର୍ମାଣ ବେଳେ ୨ ବଡ଼ ଦୁର୍ଘଟଣାରେ ୨ଜଣଙ୍କ ଜୀବନ ଯିବା ଘଟଣା ଏବେ ବି ଲୋକଙ୍କ ମନରେ ତାଜା ରହିଛି। ସେହିପରି ଲୋକମାନେ ଯାତାୟାତ କରିବାବେଳେ ରସୁଲଗଡ଼ ଫ୍ଲାଏଓଭରରୁ ବଡ଼ କଂକ୍ରିଟ୍ ଖସିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି କରିଥିଲା। ରବିବାର ପୁଣି ରାଜଧାନୀର ଆଉ ଏକ ଫ୍ଲାଏଓଭରକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଅପରାହ୍ନରେ ଲୋକମାନେ ସ୍ବାଭାବିକ ଭାବେ ଯାତାୟାତ କରୁଥିବାବେଳେ ହାଇଟେକ୍ ଛକ ନିକଟସ୍ଥ କଟକ-ପୁରୀ ବାଇପାସ ଫ୍ଲାଏଓଭର୍ର ଆପ୍ରୋଚ ରୋଡ୍ ହଠାତ୍ ୬ ଇଞ୍ଚ ଦବି ଯାଇଛି। ଫଳରେ ସେହି ସ୍ଥାନରୁ ରାସ୍ତାର ମଝି ପର୍ଯ୍ୟନ୍ତ ଏକ ଫାଟ ସୃଷ୍ଟି ହୋଇଛି। ଫ୍ଲାଏଓଭର ଦବିବା ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଲୋକେ ସେଠାରେ ଭିଡ଼ ଜମାଇଥିଲେ। କାଳେ ବଡ଼ଧରଣର ଦୁର୍ଘଟଣା ଘଟିପାରେ ତାହାକୁ ନଜରରେ ରଖି ଓଡ୍ରାଫ୍ର ୧୦ ଜଣିଆ ଟିମ୍ ସମସ୍ତ ସରଞ୍ଜାମ ସହ ସେଠାରେ ପହଞ୍ଚିଥିଲେ। ସେମାନେ ସେଠାରେ ଲାଇଟ୍ ଲଗାଇ ରାତିସାରା ଜଗି ରହିବେ ବୋଲି କହିଛନ୍ତି। ଏନ୍ଏଚ୍ଏଆଇର ଏକ ଟିମ୍, ଆମ୍ବୁଲାନ୍ସ ଏବଂ କ୍ରେନ୍ ଘଟଣାସ୍ଥଳରେ ପହଁଞ୍ଚିଥିଲା। ଆଇନ ଶୃଙ୍ଖଳା ଏବଂ ଟ୍ରାଫିକ ସମସ୍ୟା ଉପୁଜିବା ଆଶଙ୍କାରେ ଡିସିପି ଅନୁପ ସାହୁ, ଶହୀଦନଗର ଥାନା ଅଧିକାରୀ ବିରଞ୍ଚତ୍ ପତି, ମଞ୍ଚେଶ୍ୱର ଥାନା ଅଧିକାରୀ ଜିତେନ୍ଦ୍ରନାଥ ସେଠୀ, ନଖରା ଟ୍ରାଫିକ ଥାନା ଅଧିକାରୀ ଆକାଶ ରଣା ଓ ଜୋନ ଏସିପି ଅନିଲ ମିଶ୍ର ସେଠାରେ ପହଁଞ୍ଚିଥିଲା । ମଞ୍ଚେଶ୍ୱର ଥାନା ପୋଲିସ ଦବିଯାଇଥିବା ସ୍ଥାନକୁ କର୍ଡନ କରିଥିଲା। ଅନ୍ୟପକ୍ଷରେ ଘଟଣାକୁ ନେଇ କାଳେ ବିରୋଧ ହେବ, ତେଣୁ ଗଣମାଧ୍ୟମ ପ୍ରତିନିଧିମାନେ ଯିବା ପୂର୍ବରୁ ଦବିଯାଇଥିବା ସ୍ଥାନରେ ବାଲିବସ୍ତା ପକାଯାଇଥିଲା। କିନ୍ତୁ ସ୍ଥାନୀୟ ଲୋକମାନେ ନିିର୍ମାଣକାରୀ ସଂସ୍ଥା ନିମ୍ନମାନର ଫ୍ଲାଏଓଭର୍ କାମ କରିଥିବା ଅଭିଯୋଗ କରି ପ୍ରତିବାଦ କରିବା ସହ ଘଟଣାସ୍ଥଳ ନିକଟରେ ରାସ୍ତାରୋକୋ କରିଥିଲେ। ଫଳରେ ଅଧଘଣ୍ଟା ପାଇଁ ଯାତାୟାତ ବନ୍ଦ ହୋଇଯାଇଥିଲା। କିନ୍ତୁ ପୋଲିସ ବୁଝାଶୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ପଳାଶୁଣୀର ସନ୍ତୋଷ କୁମାର ସାସମଲ କହିଛନ୍ତି, ଇତିମଧ୍ୟରେ ଫ୍ଲାଏଓଭର ରାସ୍ତା ୩ ଥର ଦବିଲାଣି। ଏନେଇ ଅଞ୍ଚଳବାସୀ ଠିକା ସଂସ୍ଥାକୁ ଜଣାଇବା ପରେ ମଧ୍ୟ କିଛି ସୁଫଳ ମିଳୁନାହିଁ। କେବଳ ପିଚୁ ପକାଇ ସେମାନେ ମରାମତି କରିଦେଉଛନ୍ତି। ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଛି। ଏହାର ତଦନ୍ତ କରାଗଲେ ସତ୍ୟାସତ୍ୟ ଜଣାପଡ଼ିବ।
ମିଳିଥିବା ସୂଚନା ଅନୁଯାୟୀ, ୨୦୧୮ ଅଗଷ୍ଟ ୧୩ରେ ଉକ୍ତ ଓଭରବ୍ରିଜ କାର୍ଯ୍ୟକ୍ଷମ ହୋଇଥିଲା। ପ୍ରାୟ ୧୫ କୋଟି ଟଙ୍କା ବ୍ୟୟରେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ଓ୍ବେଜ୍ ପ୍ରା.ଲି.(ଏସ୍ଜେଇପିଏଲ୍) ଏହାକୁ ନିର୍ମାଣ କରିଥିଲା। ଏନ୍ଏଚ୍ଏଆଇ ପିଡି ଦେବପ୍ରସାଦ ସାହୁ କହିଛନ୍ତି ଯେ, ଆପ୍ରୋଚ୍ ରୋଡ୍ ଦବିଛି। ଏହା କିଛି ବଡ଼ କଥା ନୁହେଁ, ଫ୍ଲାଏଓଭରକୁ କୌଣସି ପ୍ରକାରେ ପ୍ରଭାବିତ କରିବ ନାହିଁ। ଏନେଇ ବିଚଳିତ ହେବାର କୌଣସି କାରଣ ନାହିଁ। ସକାଳ ହେବାର ୩ଘଣ୍ଟା ମଧ୍ୟରେ ଏସ୍ଜେଇପିଏଲ ପକ୍ଷରୁ ମରାମତି କରାଯିବ ବୋଲି ସେ କହିଛନ୍ତି।

















