କୁକୁଡାଖଣ୍ଡି:୧୮/୦୬(ଇ ରଞ୍ଜନ)୨୬ ବର୍ଷ ପରେ କଂଗ୍ରେସ ଛାଡ଼ିଲେ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି,ପିସିସି ସଭାପତି, ଜିଲ୍ଲା ଓ ବ୍ଲକ ନେତୃତ୍ୱ ଙ୍କ ଉପରେ ବର୍ଷିଲେ ପି. ଶିବପ୍ରସାଦ ଦୋରା।

2
ADVERTISEMENT

କୁକୁଡାଖଣ୍ଡି:୧୮/୦୬(ଇ ରଞ୍ଜନ):କୁକୁଡାଖଣ୍ଡି ବ୍ଲକ କଂଗ୍ରେସ ରାଜନୀତିରେ ଏକ ବଡ଼ ଘଟଣାକ୍ରମ ଦେଖିବାକୁ ମିଳିଛି। ଦୀର୍ଘ ୨୬ ବର୍ଷ ଧରି କଂଗ୍ରେସ ସଂଗଠନ ସହ ଜଡ଼ିତ ରହିଥିବା ଯୁବନେତା ତଥା କୁକୁଡାଖଣ୍ଡି ବ୍ଲକର ପୂର୍ବତନ କଂଗ୍ରେସ ସଭାପତି ପି. ଶିବପ୍ରସାଦ ଦୋରା (ଟୁଟୁ) ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ଘୋଷଣା କୁକୁଡାଖଣ୍ଡି ଅଞ୍ଚଳର କଂଗ୍ରେସ ସଂଗଠନ ପାଇଁ ଏକ ବଡ଼ ଝଟକା ଭାବେ ଦେଖାଦେଇଛି।ବୁଧବାର କୁକୁଡାଖଣ୍ଡି ସ୍ଥିତ ମୁକ୍ତେଶ୍ୱର ମନ୍ଦିର ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପି. ଶିବପ୍ରସାଦ ଦୋରା ତାଙ୍କ ଇସ୍ତଫା ସମ୍ପର୍କରେ ଘୋଷଣା କରିଥିଲେ। ସେ କହିଥିଲେ ଯେ, ୨୦୦୧ ରୁ କଂଗ୍ରେସ ସହିତ କାମ କାମ କରି ୨୦୦୯ ମସିହାରୁ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ କଂଗ୍ରେସ ଦଳ ର ବିଭିନ୍ନ ପଦପଦବୀରେ ଜଣେ ଶୃଙ୍ଖଳିତ କର୍ମୀ ଭାବେ ଦଳ ପାଇଁ କାମ କରିବା ସହିତ ବ୍ରହ୍ମପୁର ଲୋକସଭା ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ। ପରବର୍ତ୍ତୀ ସମୟରେ ସେ ଦୁଇ ଥର କୁକୁଡାଖଣ୍ଡି ବ୍ଲକ କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ନେଇ ସଂଗଠନକୁ ମଜବୁତ କରିବା ଦିଗରେ କାର୍ଯ୍ୟ କରିଥିଲେ।ତେବେ ଦଳୀୟ କର୍ମୀମାନଙ୍କୁ ଅଣଦେଖା କରାଯାଉଥିବା ଏବଂ ତୃଣମୂଳ ସ୍ତରର କର୍ମୀଙ୍କ ମତାମତକୁ ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ କରି ସେ ଦଳ ଛାଡ଼ିବାକୁ ବାଧ୍ୟ ହୋଇଥିବା କହିଛନ୍ତି। ଏହି ଅବସରରେ ସେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତଚରଣ ଦାସ, ଗଞ୍ଜାମ ଜିଲ୍ଲା କଂଗ୍ରେସ (ପୂର୍ବ) ସଭାପତି ରଶ୍ମିରଞ୍ଜନ ପଟ୍ଟନାୟକ ଓ ସ୍ଥାନୀୟ ସଂଗଠନ ନେତୃତ୍ୱ ଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଦଳର ବର୍ତ୍ତମାନ ନେତୃତ୍ୱ ତୃଣମୂଳ ସ୍ତରର କର୍ମୀଙ୍କୁ ଅବହେଳା କରୁଥିବାରୁ ସଂଗଠନ ଦୁର୍ବଳ ହେଉଥିବା ସେ ଅଭିଯୋଗ କରିଥିଲେ।ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦୋରା ରାଜ୍ୟର ବର୍ତ୍ତମାନ ବିଜେପି ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟକାଳକୁ ମଧ୍ୟ ସମାଲୋଚନା କରିଥିଲେ। ସରକାର ଜନସାଧାରଣଙ୍କ ଆଶା ଅନୁଯାୟୀ କାମ କରିବାରେ ବିଫଳ ହୋଇଥିବା ସେ କହିଥିଲେ।ଏହି ଘଟଣାକୁ ନେଇ କୁକୁଡାଖଣ୍ଡିର ବରିଷ୍ଠ ରାଜନେତା କେ. ମଣି ବାବୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ପି. ଶିବପ୍ରସାଦ ଦୋରାଙ୍କ ଭଳି ଜଣେ ସଂଗଠନିକ ନେତାଙ୍କ ଇସ୍ତଫା ଆଗାମୀ ଦିନରେ କଂଗ୍ରେସ ସଂଗଠନ ଉପରେ ପ୍ରଭାବ ପକାଇପାରେ। ଏହାର ପ୍ରଭାବ ବ୍ଲକ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଅନୁଭୂତ ହେବ ବୋଲି ସେ ମତ ପ୍ରକାଶ କରିଥିଲେ।ପୂର୍ବତନ ବ୍ଲକ ସଭାପତିଙ୍କ ଏହି ନିଷ୍ପତ୍ତିକୁ କଙ୍କିଆର ପୂର୍ବତନ ସମିତି ସଭ୍ୟ ଚନ୍ଦ୍ରଶେଖର ମଲ୍ଲିକ, ସଞ୍ଜୀବ ପଟ୍ଟନାୟକ, ଏ. ଫକୀର, ବନବାସୀ ପାଢ଼ୀଙ୍କ ସମେତ ଅନେକ କଂଗ୍ରେସ କର୍ମୀ ସମର୍ଥନ ଜଣାଇଥିଲେ। ପରିଶେଷରେ ଶ୍ରୀ ଦୋରା କ‌ହିଛନ୍ତି ଯେ ମୁଁ ଇସ୍ତଫା ଦେଇଛି କିନ୍ତୁ କୁକୁଡାଖଣ୍ଡି ବ୍ଲକ ବାସୀ ଙ୍କ ସେବା ପାଇଁ ମୋ ଦ୍ଵାରା ସବୁଦିନ ପାଇଁ ଖୋଲା ରହିବ ଏବଂ ଜନସେବା ଜାରି ରହିବ।ଫଳରେ କୁକୁଡାଖଣ୍ଡି ବ୍ଲକ କଂଗ୍ରେସ ରାଜନୀତିରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଗାମୀ ଦିନରେ ଏହାର ରାଜନୈତିକ ପ୍ରଭାବ କିପରି ରହିବ ସେନେଇ ସମସ୍ତଙ୍କ ନଜର ରହିଛି।

Advertisement