ପ୍ରଶାସନ ବିରୋଧରେ ଆନ୍ଦୋଳନ ପାଇଁ ସଜବାଜ

408
ADVERTISEMENT

ମାଲକାନଗିରି,୨୬/୮ : ଗୁରୁପ୍ରିୟା ସେତୁ ହେବାପରେ ବି ବିଚ୍ଛିନ୍ନାଞ୍ଚଳରୁ ସମସ୍ୟା ଦୂରହୋଇନି। ଲୋକମାନଙ୍କ ନିକଟରେ ମୌଳିକ ସୁବିଧାସୁଯୋଗ ପହଞ୍ଚିପାରୁନି। ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଦାନା ବାନ୍ଧିବାରେ ଲାଗିଛି। ଆଜି ୬ ଟି ପଞ୍ଚାୟତର ଲୋକ ଚିତ୍ରକୋଣ୍ଡା‌େର ଏକାଠି ହୋଇ ଆନ୍ଦୋଳନ ଡାକରା ଦେଇଛନ୍ତି। ସେମାନଙ୍କୁ ବୁଝାଶୁଝା କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ହେଉଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଆଜି ଚାରୋଟି ଲଞ୍ଚ୍‌ ସହ ଭୁଟୁଭୁଟିରେ ହଜାରରୁ ଊର୍ଦ୍ଧ୍ବ ଲୋକ ଚିତ୍ରକୋଣ୍ଡାରେ ପହଞ୍ଚିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ଗୁରୁପ୍ରିୟା ସେତୁ ହେଲାପରେ ମଧ୍ୟ ଲୋକମାନଙ୍କ ସମସ୍ୟା ଦୂର ହୋଇନି। ରାସ୍ତାଘାଟ ନଥିବାରୁ ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ପାଦରେ ଚାଲି ଚାଲି କିମ୍ବା ଘୋଡାର ସାହାରା ନେଉଛନ୍ତି। ଲୋକଙ୍କ ନିକଟରେ ସ୍ବାସ୍ଥ୍ୟ ସେବା ପହଞ୍ଚିପାରୁ ନଥିବାରୁ ଲୋକେ ପୋକମାଝି ଭଳି ମରୁଛନ୍ତି। ବାଧ୍ୟ ହୋଇ ଲୋକେ ଦିଶାରୀ, ଗୁଣିଆ ଉପରେ ନିର୍ଭର କରୁଛନ୍ତି। ସେହିପରି ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ପିଲାମାନେ ଅଶିକ୍ଷିତ ହେଲେଣି । ଫଳରେ, ଯୁବକ, ଯୁବତୀ ନକ୍ସଲ ସଂଗଠନରେ ଯୋଗ ଦେଉଛନ୍ତି।ସେହିଭଳି, ପାନୀୟ ଜଳର ସମସ୍ୟା ଉତ୍କଟ! ଚିତ୍ରକୋଣ୍ଡା ବ୍ଲକରେ ନିର୍ବାଚନ ହୋଇପାରୁ ନଥିବାରୁ ଏଠାରେ ଲୋକେ ନିଜର ଦାବି ନେଇ ନା’ ସରପଞ୍ଚ ନିକଟକୁ ଯାଇପାରୁଛନ୍ତି ନା’ ନଦୀ ପାର ହୋଇ ବିଡିଓଙ୍କ ନିକଟକୁ ଯାଇପାରୁଛନ୍ତି ବୋଲି କ୍ଷୋଭର ସହ କହିଛନ୍ତି। ଏହି ଖବର ପ୍ରଚାର ହେବା ପରେ ବିଏସଏଫ କମାଣ୍ଡାଣ୍ଟ, ପୁଲିସ, ବିଡିଓ, ତହସିଲଦାର ପ୍ରମୁଖ ଘାଟରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ଆରମ୍ଭ କରିଥିଲେ। କିନ୍ତୁ ଲୋକେ ବୁଝିବାକୁ ପ୍ରସ୍ତୁତ ନଥିଲେ। ଖବର ଲେଖାଯିବା ସୁଦ୍ଧା ଆଲୋଚନା ଚାଲିଥିବା ସୂଚନା ମିଳିଛି।

Advertisement