ସରକାରୀ ଅର୍ଥ ନେଇଥିଲେ ପୁଣି ଫେରାଇଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ l

2
ADVERTISEMENT

କୁକୁଡାଖଣ୍ଡି,୦୮।୦୬(ଇ ରଞ୍ଜନ):-ଦୁର୍ନୀତିର ଗନ୍ତାଘର ପାଲଟିଥିବା କୁକୁଡାଖଣ୍ଡି ବ୍ଲକ ର ଗୋଟିଏ ପଞ୍ଚାୟତ ରେ ହୋଇଥିବା ଦୁର୍ନୀତି ଏବେ ଚର୍ଚ୍ଚା ରେ।ଏହି ବ୍ଲକ ଅନ୍ତର୍ଗତ ବୋରିଗାଁ ପଞ୍ଚାୟତରେ ଏକ ପୁରୁଣା ଦୁର୍ନୀତି ଘଟଣା ପଦାକୁ ଆସିଛି। ପ୍ରକଳ୍ପ କାମ ନାଁରେ ଅଧିକ ଅର୍ଥ ଉଠାଣ ହୋଇଥିବା ଅଭିଯୋଗ ସତ୍ୟ ପ୍ରମାଣିତ ହେବା ପରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜେଶ ରାଓ ଶେଷରେ ୨୯ ହଜାର ୨୪୧ ଟଙ୍କା ପଞ୍ଚାୟତ ଫଣ୍ଡକୁ ଫେରସ୍ତ କରିଥିବା ଜଣାପଡ଼ିଛି।ସୂଚନା ଅନୁସାରେ, ୨୦୨୪-୨୫ ଆର୍ଥିକ ବର୍ଷରେ ବୋରିଗାଁ ଗ୍ରାମର ରାଧାକୃଷ୍ଣ ମନ୍ଦିର ନିକଟରେ ଏକ ଫେଭର ବ୍ଲକ ରାସ୍ତା ନିର୍ମାଣ କାମ କରାଯାଇଥିଲା। ଏହି କାମ ପାଇଁ ଏକ ଲକ୍ଷ ଟଙ୍କାର ଏଷ୍ଟିମେଟ ପ୍ରସ୍ତୁତ ହୋଇଥିବା ବେଳେ ସମ୍ପୂର୍ଣ୍ଣ ରାଶି ଖର୍ଚ୍ଚ ହୋଇଥିବା ଦର୍ଶାଯାଇଥିଲା।ତେବେ ଗ୍ରାମର ସମାଜସେବୀ ଉମାଶଙ୍କର ସାହୁ କାମର ଗୁଣବତ୍ତା ଓ ଖର୍ଚ୍ଚକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ। ସେ ଆରଟିଆଇ ମାଧ୍ୟମରେ ସମ୍ପୂର୍ଣ୍ଣ ତଥ୍ୟ ମାଗିଥିଲେ। କିନ୍ତୁ ଅଭିଯୋଗ ଅନୁଯାୟୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଭିନ୍ନ ଆଳ ଦେଖାଇ ତଥ୍ୟ ପ୍ରଦାନରେ ବିଳମ୍ବ କରିଥିଲେ।ପରବର୍ତ୍ତୀ ସମୟରେ ପଞ୍ଚାୟତ ସ୍ତରରେ ଅଭିଯୋଗର ଶୁଣାଣୀରେ ଉମାଶଙ୍କର ସାହୁ ସମ୍ପୂର୍ଣ୍ଣ ତଥ୍ୟ ଓ କାର୍ଯ୍ୟବିବରଣୀ ମାଗିଥିଲେ। ହେଲେ ସେଠାରେ ମଧ୍ୟ ତାଙ୍କୁ ସନ୍ତୋଷଜନକ ତଥ୍ୟ ପ୍ରଦାନ କରାଯାଇନଥିଲା । ପରେ ପୁନର୍ବାର ଆରଟିଆଇ ଆବେଦନ କରି ଶୁଣାଣୀ ରିପୋର୍ଟ ଓ ବିଲ୍‌ର ବିସ୍ତୃତ ବିବରଣୀ ମାଗିଥିଲେ।ଶେଷରେ ତଦନ୍ତ ସମୟରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା। ଏକ ଲକ୍ଷ ଟଙ୍କାର ଏଷ୍ଟିମେଟ ଥିବା ଏହି କାମରେ ପ୍ରକୃତରେ ପ୍ରାୟ ୭୧ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଥିଲା। ଅର୍ଥାତ୍ ପ୍ରାୟ ୨୯ ହଜାର ୨୪୧ ଟଙ୍କା ଅତିରିକ୍ତ ଉଠାଣ ହୋଇଥିବା ସ୍ପଷ୍ଟ ହୋଇଥିଲା।ଏହି ଘଟଣାର ତଦନ୍ତ ପରେ ୨୬ ମାର୍ଚ୍ଚ ୨୦୨୬ ତାରିଖରେ ସମ୍ପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଉକ୍ତ ଅର୍ଥ ପଞ୍ଚାୟତ ଫଣ୍ଡକୁ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ନିର୍ଦ୍ଦେଶ ପରେ ସେ ୨୯ ହଜାର ୨୪୧ ଟଙ୍କା ପଞ୍ଚାୟତ ଖାତାରେ ଜମା କରିଥିବା ସୂଚନା ମିଳିଛି।ଦୀର୍ଘ ଦିନ ଧରି ଆରଟିଆଇ ମାଧ୍ୟମରେ ଲଢ଼େଇ କରୁଥିବା ଉମାଶଙ୍କର ସାହୁଙ୍କ ଉଦ୍ୟମ ଶେଷରେ ସଫଳ ହୋଇଛି। ଏହା ସହିତ ବୋରିଗାଁର ସାଧାରଣ ଲୋକଙ୍କ ଝାଳବୁହା ଅର୍ଥ ପୁଣିଥରେ ପଞ୍ଚାୟତ ଫଣ୍ଡକୁ ଫେରିଥିବାରୁ ସ୍ଥାନୀୟ ଅଞ୍ଚଳରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଯଦି ଆରଟିଆଇ ମାଧ୍ୟମରେ ଏହି ଘଟଣା ପଦାକୁ ଆସିନଥାନ୍ତା, ତେବେ ସରକାରୀ ଅର୍ଥର ଏହି ଗଡ଼ବଡ଼ି କେବେ ସାମ୍ନାକୁ ଆସିଥାନ୍ତା କି? ସେହିପରି କେବଳ ଅର୍ଥ ଫେରସ୍ତ କରାଯିବ ନା ଦାୟୀ ଅଧିକାରୀଙ୍କ ବିରୋଧରେ ଅନ୍ୟାନ୍ୟ ପ୍ରଶାସନିକ କିମ୍ବା ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ, ତାହା ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି। ପିଇଓ ମାନେ ମନଇଚ୍ଛା ଦୁର୍ନୀତି କରୁଥିବା ବେଳେ ସେମାନଙ୍କ ଉପରେ କୌଣସି ଅଙ୍କୁଶରହୁନାହିଁ, ଯଦ୍ୱାରା ବ୍ଲକ ଓ ପଞ୍ଚାୟତ ଗୁଡିକର ନାମ ବଦନାମ ହେଉଛି ଏବଂ ବ୍ଲକ ପ୍ରଶାସନ ର କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

Advertisement