କୁକୁଡାଖଣ୍ଡିରେ ମହାରକ୍ତଦାନ ଶିବିର, ୩୦୦ ୟୁନିଟ୍‌ରୁ ଉର୍ଦ୍ଧ ରକ୍ତ ସଂଗ୍ରହ l

3
ADVERTISEMENT

କୁକୁଡାଖଣ୍ଡି,୦୬।୦୬(ଇ ରଞ୍ଜନ):-କୁକୁଡାଖଣ୍ଡି, ଗ୍ରୀଷ୍ମ ଋତୁରେ ବ୍ରହ୍ମପୁର ବଡ଼ ମେଡିକାଲରେ ଦେଖାଦେଉଥିବା ତୀବ୍ର ରକ୍ତ ସଙ୍କଟକୁ ଦୂର କରିବା ପାଇଁ ଶୁକ୍ରବାର କୁକୁଡାଖଣ୍ଡିରେ ଏକ ବୃହତ ଗ୍ରୀଷ୍ମକାଳୀନ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ବଉଳଝୋଳି ନିକଟସ୍ଥ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ଫାର୍ମ ହାଉସ ପରିସରରେ ତାଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଏହି ଶିବିର ଆୟୋଜିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ରମେଶ ଜେନାଙ୍କ ପିତୃ ଅରକ୍ଷିତ ଜେନା ଯୋଗଦେଇ ଉଦ୍ଘାଟନ କରିଥିଲେ । ଅପରାହ୍ନରୁ ଆରମ୍ଭ ହୋଇଥିବା ଏହି ଶିବିରରେ ଅଞ୍ଚଳର ଯୁବକମାନେ ଉତ୍ସାହର ସହ ସାମିଲ ହୋଇଥିଲେ ।ବିଧାୟକ ଶ୍ରୀ ଜେନା କହିଛନ୍ତି, “ଗ୍ରୀଷ୍ମ ଦିନରେ ତାପମାତ୍ରା ବଢ଼ିବା ଯୋଗୁଁ ରକ୍ତଦାତାଙ୍କ ସଂଖ୍ୟା ହ୍ରାସ ପାଏ । ଅଥଚ ଦୁର୍ଘଟଣା, ଥାଲାସେମିଆ, ଡାଇଲିସିସ୍ ଓ ଅସ୍ତ୍ରୋପଚାର ପାଇଁ ରକ୍ତ ଚାହିଦା ବଢ଼ିଯାଏ ।

ଏହି ସମୟରେ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଆମେ ଏହି ଶିବିର ଆୟୋଜନ କରିଛୁ ।ବ୍ରହ୍ମପୁର ଏମ.କେ.ସିଜି ମେଡିକାଲ ରକ୍ତ ଭଣ୍ଡାରର ଡାକ୍ତର ଓ କର୍ମଚାରୀଙ୍କ ସହଯୋଗରେ ଏହି ଶିବିର ପରିଚାଳିତ ହୋଇଥିଲା । ସନ୍ଧ୍ୟା ସୁଦ୍ଧା ୩୦୦ରୁ ଅଧିକ ସ୍ୱେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ । ସଂଗୃହୀତ ରକ୍ତକୁ ବ୍ରହ୍ମପୁର ବଡ଼ ମେଡିକାଲ ରକ୍ତ ଭଣ୍ଡାରକୁ ପଠାଯାଇଛି, ଯାହା ଶହ ଶହ ମୂମୂର୍ଷୁ ରୋଗୀଙ୍କ ଜୀବନ ରକ୍ଷାରେ ସହାୟକ ହେବ ।ଶିବିରରେ କେବଳ ପୁରୁଷ ନୁହନ୍ତି, ବହୁ ସଂଖ୍ୟାରେ ମହିଳା ଓ ପ୍ରଥମ ଥର ପାଇଁ ରକ୍ତଦାନ କରୁଥିବା ଯୁବକଯୁବତୀମାନେ ବି ସାମିଲ ହୋଇଥିଲେ । ରକ୍ତଦାତାଙ୍କୁ ବିଧାୟକଙ୍କ ପକ୍ଷରୁ ପ୍ରମାଣପତ୍ର ଓ ଉପହାର ପ୍ରଦାନ କରାଯାଇଥିଲା ।ଏହି ଅବସରରେ ସ୍ଥାନୀୟ ନେତୃବୃନ୍ଦ, ସରପଞ୍ଚ, ସମିତି ସଭ୍ୟ ଓ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତା ଉପସ୍ଥିତ ଥିଲେ ।

Advertisement