ବ୍ରହ୍ମପୁର,୨୨।୦୫ (ଡ଼ି.ଏଚ ବ୍ୟୁରୋ):- କିଶୋରୀମାନେ ପରିବାରର ବୋଝ ନୁହନ୍ତି । ସେମାନେ ଦେଶର ସ୍ୱର୍ଣ୍ଣିମ ଭବିଷ୍ୟତ । ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା-ସୁଯୋଗ ତାସହିତ ସୁରକ୍ଷା ଓ ସମ୍ମାନ ଯୋଗାଇଦେବା ଆମସମସ୍ତଙ୍କର କର୍ତ୍ତବ୍ୟ । ନିରନ୍ତର ସାମୁହିକ ପ୍ରୟାସ ଯୋଗୁଁ ବାଲ୍ୟ ବିବାହ ରୋକିବାରେ ଗଞ୍ଜାମ ଜିଲ୍ଲା ବିଶେଷ ସଫଳତା ହାସଲ କରିପାରିଛି । ଏବେ ଜିଲ୍ଲାରୁ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ପରାହତ କରିବାର ସମୟ ଆସିଛି ବୋଲି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ କହିବା ସହିତ କିଶୋରୀ ଓ କିଶୋର ଉଭୟଙ୍କୁ ଶିକ୍ଷା , ସ୍ୱାସ୍ଥ୍ୟ, ପୋଷଣ ଆଦି ସମସ୍ତ କ୍ଷେତ୍ରରେ ସମାନ ଦୃଷ୍ଟିରେ ଦେଖିବା ପାଇଁ ଜିଲ୍ଲାବାସୀଙ୍କୁ ସେ ଅନୁରୋଧ କରିଛନ୍ତି ।ବୈଷୟିକ ଜ୍ଞାନକୌଶଳର ସହାୟତା ନେଇ ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମ ୩୬୦ ଆପକୁ ଆରମ୍ଭ କରାଯାଇଛି । ଏବେ ଏହି ଆପରେ ଏକ ଜରୁରୀକାଳୀନ ବଟମ/ବ୍ୟବସ୍ଥା ରହିବ ତାକୁ ବ୍ୟବହାର କରି ଲୋକମାନେ ନିଜ ପରିଚୟ ଗୁପ୍ତ ରଖି ବାଲ୍ୟ ବିବାହ ସମ୍ପର୍କରେ ସୂଚନା ଦେଇପାରିବେ। ଏହି ସୁବିଧାକୁ ଆଗାମୀ ୧୫ଦିନ ମଧ୍ୟରେ ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହା ସହିତ ସଚେତନତା ବୃଦ୍ଧିକରି ସମାଜକୁ ଅଧିକ ସଶକ୍ତ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।ଜିଲ୍ଲା ପ୍ରଶାସନ ଓ ୟୁନିସେଫର ମିଳିତ ଆନୁକୂଲ୍ୟରେ ଆଜି ଜିଲ୍ଲା ପରିଷଦର ଜଉଗଡ ସମ୍ମିଳନୀ କକ୍ଷରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ କିଶୋରୀ ସଶକ୍ତିକରଣ ଓ ବାଲ୍ୟ ବିବାହ ସମ୍ପୂର୍ଣ ଶେଷ କରିବା ପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟ ଖସଡ଼ାର ଉନ୍ମୋଚନ କରାଯାଇଛି ।ନିର୍ଭୟ କଢି, ଅଦ୍ବିକା ଭଳି ଯୋଜନା ଜିଲ୍ଲାରେ ବିଶେଷ ସଫଳତା ହାସଲ କରିପାରିଛି । କିଶୋରୀ ସଶକ୍ତିକରଣ ତା ସହିତ ବାଲ୍ୟ ବିବାହର ଜିଲ୍ଲାରୁ ସମ୍ପୂର୍ଣ ଶେଷ କରିବା ପାଇଁ ଜନସଚେତନତାକୁ ବିଶେଷକରିଗ୍ରାମାଞ୍ଚଳରେ ଆହୁରି ଅଧିକ ପରିବ୍ୟାପ୍ତ କରିବାକୁ ପଡିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ କହିଛନ୍ତି । ଗଞ୍ଜାମ ଜିଲ୍ଲାକୁ ଜୀବିକା ଅନ୍ୱେଷଣରେ ପିତାମାତାଙ୍କ ସହିତ ଆସୁଥିବା ଶିଶୁମାନେ ମଧ୍ୟ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ର ପାଠ ପଢି ପାରିବେ । ଏ କ୍ଷେତ୍ରରେ ସେମାନଙ୍କୁ ସହଯୋଗ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କୈଳାଶ ଚନ୍ଦ୍ର ବୁଗୁଡ଼ା, ୟୁନିସେଫର ରାଜ୍ୟ ପରାମର୍ଶଦାତା ଘାସିରାମ ପଣ୍ଡା , ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ବିଜୟଲକ୍ଷ୍ମୀ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ରାଜଶ୍ରୀ ଦାଶ, ସମାଜ ମଙ୍ଗଳ ଅଧିକାରିଣୀ ପାର୍ବତୀ ସୋରେନ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ଶିଶୁ ମାନଙ୍କ ସାମ୍ବିଧାନିକ ଅଧିକାର, ସରକାରୀ ଯୋଜନାର ସୁବିଧା ସୁଯୋଗ , ୧୦୯୮/୧୮୧ ଟୋଲ ଫ୍ରି ନମ୍ବରର ବ୍ୟବହାର, ସାଇବର ସୁରକ୍ଷା ଆଦି ବିଭିନ୍ନ ବିଷୟରେ ଆଲୋକପାତ କରିଥିଲେ ।ଏହି ୨୦୨୬-୨୦୨୯ କାର୍ଯ୍ୟ ଖସଡ଼ାରେ ନିର୍ଭୟ କଢି, ଅଦ୍ବିକା, ମୋ ଗେଲ୍ହା ଝିଅ, ବିଦ୍ୟାଳୟକୁ ହଁ – ବାଲ୍ୟ ବିବାହକୁ ନା, ଆର୍ଥିକ ସହାୟତାର ପ୍ରାବଧାନ, ବାଲ୍ୟ ବିବାହ ମୁକ୍ତ ଗ୍ରାମ, ଆଗାମୀ ଦିନର ପଦକ୍ଷେପ, ଆଗାମୀ ପ୍ରଶିକ୍ଷଣ, ସରକାରୀ – ବେସରକାରୀ ସଂସ୍ଥା ମଧ୍ୟରେ ସମନ୍ୱୟ ଆଦି ବିଷୟରେ ଉଲ୍ଲେଖ କରାଯାଇଛି ।କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ, ସିଡିପିଓ, ଏନଜିଓର କର୍ମକର୍ତ୍ତା, ଶିଶୁ ମଙ୍ଗଳ ସମିତି, ଡି.ଏଚ୍.ଇ.ଡବ୍ଲ୍ୟୁ. ର କର୍ମକର୍ତ୍ତା ଓ ବିଭିନ୍ନ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା ଯୋଗଦେଇଥିଲେ । ୟୁନିସେଫର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

















