ଭିତରକନିକା ,୨୫/୮(ଏଜେନସି) : ଭିତରକନିକା ଅଭୟାରଣ୍ୟ ମଧ୍ୟରେ ପ୍ରବାହିତ ବୈତରଣୀ ନଦୀ ଭିତରେ ତିଆରି ଚାଲିଛି କୋଠା। ନଦୀର ଜୁଆରକୁ ଅଟକାଇ ନଦୀ ଭିତରେ ଖମ୍ବ ଉଠାଇ କୋଠା ନିର୍ମାଣ ହେଉଛି। ଏପରିକି ସେଠାରେ ଥିବା ବିରଳ ଲୁଣା ଜଙ୍ଗଲକୁ କାଟି ଦିଆଯାଇଛି। କୋଷ୍ଟାଲ ରିଜୋଲ୍ୟୁସନ ଜୋନ(ସିଆର୍ଜେଡ୍)ଆଇନକୁ ଖୋଲା ଉଲ୍ଲଂଘନ କରି ଏହି କାମ ଚାଲିଛି । ଖବର ପ୍ରକାଶ ପାଇବା ପରେ ବନବିଭାଗ ଟିମ୍ ଘଟଣାର ତନାଘନା କରିଛି । ଏହି ବେଆଇନ ନିର୍ମାଣକାରୀ ସଂସ୍ଥା ଓ ସଂପୃକ୍ତ ଫରେଷ୍ଟରଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଛି । ୭ ଦିନ ମଧ୍ୟରେ ନିର୍ମାଣକାରୀ ସଂସ୍ଥା ଏହାକୁ ନ ଭାଙ୍ଗିଲେ ବନବିଭାଗ ପକ୍ଷରୁ ଏହାକୁ ଭଙ୍ଗାଯିବ ବୋଲିସଚେତନ କରିଦିଆଯାଇଛି । ରାଜନଗର ବ୍ଲକର ତାଳଚୁଆ ନିକଟରେ ବୈତରଣୀ ନଦୀ ମଧ୍ୟରେ କୋଠା ନିର୍ମାଣ ଚାଲିଛି । ବୈତରଣୀ ନଦୀ କୂଳରେ ଦୀର୍ଘ ବର୍ଷ ଧରି ବିରଳ ଲୁଣା ଜଙ୍ଗଲ ରହିଥିଲା। ସେଠାରେ ଥିବା ବନୀ ଓ ଗୁଆଁଗଛକୁ କାଟି କୋଠା ନିର୍ମାଣ କରାଯାଉଛି। ନଦୀ ଭିତରେ ଖମ୍ବ ଉଠାଯାଇଛି। ତାହା ଉପରେ ଛାତ ପକାଯାଇ ଘର ନିର୍ମାଣ କରାଯାଉଛି। ନଦୀର ଜୁଆର ତିଆରି ଚାଲିଥିବା କୋଠା ତଳେ ଲହଡ଼ି ଭାଙ୍ଗୁଛି। ଏପରିକି ନଦୀର ଜୁଆରକୁ ଅଟକାଯାଇ ପାଚେରି ନିର୍ମାଣ କରାଯାଇଛି। ପାଚେରି ମଧ୍ୟରେ ମାଛ ଗଦି ନିର୍ମାଣ କରାଯାଇଛି। ଟ୍ରଲରଗୁଡିକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ମଧ୍ୟରୁ ମାଛ ଧରି ଆସି ସେଠାରେ ନିଲାମ କରିବେ। ଏହାବାଦ୍ ନଈ ଭିତରେ ଖମ୍ବ ଉଠାଯାଇ ଏକ ବିରାଟ ପାଣିଟାଙ୍କି ନିର୍ମାଣ କରାଯାଉଛି ।
















