ବିଜେପି ପାଇଁ ‘କଳା’ ଅଗଷ୍ଟ !

293
ADVERTISEMENT

ଭୁବନେଶ୍ବର, ୨୫/୮(କୁନା ପ୍ରଧାନ) : ଦେଶ ଲାଗି ‘ଅଗଷ୍ଟ’ ଏକ ଗୁରୁତ୍ବପୂର୍ଣ୍ଣ ମାସ। ଏହି ମାସରେ ଦେଶ ସ୍ବାଧୀନ ହୋଇଥିଲା, ପୁଣି ବିଭାଜିତ ବି ହୋଇଥିଲା। ମାତ୍ର ଭାରତୀୟ ଜନତା ପାର୍ଟି (ବିଜେପି) ପାଇଁ ‘ଅଗଷ୍ଟ’ ଏକ ‘କଳା ମାସ’ ରୂପେ ବିବେଚିତ ହୋଇଛି। କାରଣ ଶୁଭଙ୍କର ହେବା ପରିବର୍ତ୍ତେ ଅଗଷ୍ଟ ମାସ ଅତ୍ୟନ୍ତ ଅଶୁଭ ଫଳ ପ୍ରଦାନ କରିଛି ବିଜେପିକୁ। ଅଗଷ୍ଟ ମାସରେ ଦଳ ହରାଇଛି ତାହାର ତିନି ତିନି ଜଣ ଦିଗ୍ଗଜ ନେତାଙ୍କୁ। ବିଜେପିର ଅନ୍ୟତମ ପ୍ରତିଷ୍ଠାତା ତଥା ଦଳର ପ୍ରଥମ ପ୍ରଧାନମନ୍ତ୍ରୀ ଥିବା ଅଟଳ ବିହାରୀ ବାଜପେୟୀଙ୍କର ପରଲୋକ ହୋଇଥିଲା ୨୦୧୮ ଅଗଷ୍ଟ ୧୬ ତାରିଖରେ। ବାଜପେୟୀଙ୍କ ବିୟୋଗ ଥିଲା ଦଳ ପାଇଁ ଏକ ଅପୂରଣୀୟ କ୍ଷତି।ବାଜପେୟୀଙ୍କ ବିୟୋଗକୁ ଏକ ବର୍ଷ ପୂରି ନଥିବା ବେଳେ ଚଳିତ ଅଗଷ୍ଟ ୬ ତାରିଖରେ ସଂପୂର୍ଣ୍ଣ ଅପ୍ରତ୍ୟାଶିତ ଭାବେ ପରଲୋକ ଗମନ କଲେ ଦଳର ଅନ୍ୟଜଣେ ସର୍ବମାନ୍ୟ ତଥା ତୁଙ୍ଗ ନେତ୍ରୀ ସୁଷମା ସ୍ୱରାଜ। ସୁଷମାଙ୍କ ଅକାଳ ବିୟୋଗରେ ଦେଶ ହରାଇଥିଲା ଜଣେ ସଫଳ ବୈଦେଶିକ ମନ୍ତ୍ରୀଙ୍କୁ ଆଉ ବିଜେପି ହରାଇଥିଲା ଦଳର ଜଣେ ପ୍ରତିଶ୍ରୁତି ସମ୍ପନ୍ନା ରାଜନେତାଙ୍କୁ। ତେବେ, ସୁଷମା ସ୍ୱରାଜଙ୍କ ବିୟୋଗ ଜନିତ ଦାରୁଣ ଧକ୍କାରୁ ଦଳ ସଂପୂର୍ଣ୍ଣ ରୂପେ ମୁକୁଳି ନଥିବା ବେଳେ ଦଳକୁ ଲାଗିଛି ଆଉ ଏକ ଶକ୍ତ ଧକ୍କା। ଦଳରେ ଏକ ମେରୁଖୁଣ୍ଟ ରୂପେ ବିବେଚିତ ହେଉଥିବା ଦଳର ଅନ୍ୟଜଣେ ସର୍ବମାନ୍ୟ ନେତା ଅରୁଣ ଜେଟଲୀ ଆଜି (ଅଗଷ୍ଟ ୨୪ ତାରିଖରେ) ପରଲୋକ ଗମନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପ୍ରଧାନମନ୍ତ୍ରିତ୍ୱ କାଳରେ ଅରୁଣ ଜେଟଲୀ ଦେଶର ଅର୍ଥମନ୍ତ୍ରୀ ଭାବେ ବହୁ ସଂସ୍କାରର ମୂଳ ସଂସ୍କାରକ ରହିବା ସହ ମୋଦିଙ୍କ କ୍ୟାବିନେଟ୍‌ରେ ଜଣେ ‘କ୍ରାଇସିସ୍‌ ମ୍ୟାନେଜର’ ରୂପେ ବିବେଚିତ ହେଉଥିଲେ।

Advertisement