କୁକୁଡାଖଣ୍ଡି,୧/୦୧(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକର କୁକୁଡାଖଣ୍ଡି ଯୁବ ଜ୍ୟୋତି ପରିସରରେ ଅବସରପ୍ରାପ୍ତ ଓ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଇଂରାଜୀ ନୂତନ ବର୍ଷ–୨୦୨୬ ଅବସରରେ ନୂତନ ବର୍ଷର କ୍ୟାଲେଣ୍ଡ ଉନ୍ମୋଚନ କରାଯାଇଛି। ସଂଘ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ଉତ୍ସବରେ ବହୁ ଅବସରପ୍ରାପ୍ତ କର୍ମଚାରୀ, ବରିଷ୍ଠ ନାଗରିକ ଓ ସମାଜସେବୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇ.ଓ.ବି. ବ୍ୟାଙ୍କ କୁକୁଡାଖଣ୍ଡି ଶାଖା ପ୍ରବନ୍ଧକ ଦେବଜାନୀ ଦାସ ଯୋଗ ଦେଇ କ୍ୟାଲେଣ୍ଡକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ। ଏହି ଅବସରରେ ସେ ସମସ୍ତ ଅବସରପ୍ରାପ୍ତ ଓ ବରିଷ୍ଠ ନାଗରିକଙ୍କୁ ଇଂରାଜୀ ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଅନୁଭବ, ଜ୍ଞାନ ଓ ସମାଜ ପ୍ରତି ଅବଦାନକୁ ସ୍ମରଣ କରିଥିଲେ। ବରିଷ୍ଠ ନାଗରିକମାନେ ସମାଜର ମାର୍ଗଦର୍ଶକ ବୋଲି କହି ସେମାନଙ୍କ ସହଯୋଗ ନୂତନ ପିଢ଼ି ପାଇଁ ଅତ୍ୟନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ନିତ୍ୟାନନ୍ଦ ଦଳେଇ, ଡି. ଧରମ ରାଓ, ମାଗୁଣି ପାତ୍ର ଓ ସଂଘର କୋଷାଧ୍ୟକ୍ଷ ଅଦଳ ନନ୍ଦକିଶୋର ମଞ୍ଚାସୀନ ରହିଥିଲେ। ସଭାକୁ ଇଞ୍ଜିନିୟର ଶ୍ରୀନିବାସ ରାଉତ ଅଧ୍ୟକ୍ଷତା କରିଥିଲେ। ସେ ତାଙ୍କ ଅଧ୍ୟକ୍ଷୀୟ ଭାଷଣରେ ସଂଘର ଗତ ବର୍ଷର କାର୍ଯ୍ୟକଳାପ ସହ ଆଗାମୀ ଦିନରେ ବରିଷ୍ଠ ନାଗରିକଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ସଚେତନତା ପାଇଁ ନିଆଯିବା କାର୍ଯ୍ୟଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ।ଏହି ଅବସରରେ ସଂଘର ସମ୍ପାଦକ ଏ. ସନ୍ୟାସୀ, ଏ. ଚିନ୍ତାମଣି, ଏ. ଧରମା ରାଓ, ପ୍ରକାଶ ଦୋରା, ପି. ମାଧବ ରାଓ ଦୋରାଙ୍କ ସହ ବହୁ ବୁଦ୍ଧିଜୀବୀ ଓ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କ ମଧ୍ୟରେ ନୂତନ ବର୍ଷର କ୍ୟାଲେଣ୍ଡ ବଣ୍ଟନ କରାଯାଇଥିଲା।

















