ବ୍ରହ୍ମପୁର,୧୭/୧୨(ଇ ରଞ୍ଜନ):-ହିଞ୍ଜିଳି ବିଦେଶୀ ପକ୍ଷୀଙ୍କ ଓଡ଼ିଶା ଆଗମନ ଗଞ୍ଜାମ ସମରଝୋଳ ପୋଖରୀରେ ଦେଖିବାକୁ ମିଳିଛି ୫ ପ୍ରଜାତିର ବିଦେଶୀ ପକ୍ଷୀ l ଶୀତଋତୁରେ ସୁଦୂର ବରଫାବୃତ୍ତ ଅଞ୍ଚଳ ସାଇବେରିଆ, ରୁଷିଆ, କାଜାଖସ୍ତାନ, ଇରାନ, ଇରାକ, ମଙ୍ଗୋଲିଆ ଆଦି ଅଞ୍ଚଳରୁ ପ୍ରବଳ ହିମପ୍ରବାହ ଓ ଅସହ୍ୟ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରଜାତିର ରଙ୍ଗବେରଙ୍ଗର ପକ୍ଷୀମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ହଜାର ହଜାର ମାଇଲ ଅତିକ୍ରମ କରି ଓଡିଶାକୁ ଆସିଥାନ୍ତି । ଏହା ସହ ପାଖାପାଖି ସାଇବେରିଆରୁ ଅଧିକ ପ୍ରଜାତିର ପକ୍ଷୀମାନେ ପସନ୍ଦ କରିଥାନ୍ତି । ଏଠାକୁ ଆସି ଅଣ୍ଡା ଦେଇଥାନ୍ତି । ବିଶେଷ ଭାବରେ ଏହି ପକ୍ଷୀମାନେ ପ୍ରଜନନ, ସେମାନଙ୍କ ଶାବକମାନଙ୍କୁ ଖାଦ୍ୟ ଏବଂ ନିଜେ ବଞ୍ଚିବାକୁ ଏକ ସର୍ବୋତ୍ତମ ପରିବେଶ ଏବଂ ବାସସ୍ଥାନ ଖୋଜିବା ପାଇଁ ହଜାର ହଜାର ମାଇଲ ଆସି ଓଡିଶାର ଏକାଧିକ ସ୍ଥାନରେ ବସା ବାନ୍ଧିଥାଆନ୍ତି ।

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ସମରଝୋଳ ପୋଖରୀରେ ଚଳିତ ବର୍ଷ ବିଭିନ୍ନ ବିଦେଶୀ ଓ ଦେଶୀ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳିଛି l ପୋଖରୀ ପୁନଃରୁଦ୍ଧାର ପାଇଁ ବିଗତ କିଛି ବର୍ଷ ହେଲା ପକ୍ଷୀ ଆସୁନଥିଲେ,ଦୀର୍ଘ ପାଞ୍ଚ ବର୍ଷ ପରେ ପୁଣି ଖାଦ୍ୟ ଅନୁସନ୍ଧାନରେ ବିଭିନ୍ନ ପ୍ରଜାତିର ପକ୍ଷୀ ଯଥା ରେଡ କ୍ରେୟେଷ୍ଟଡ଼ ପୋଚାର୍ଡ,ଟଫଟେଡ଼ ଡକ, ଇଉରିସିଆନ କୁଟ ପ୍ରଜାତିର ପକ୍ଷୀ ଆସିଛନ୍ତି ଏହା ସହ ସ୍ଥାନୀୟ କଟନ ପିଗମୀ ଘୋସ, ମାଟିଆ ଗେଣ୍ଡି, ମାଛ ରଙ୍କା, କାମ ଚଢ଼େଇ ଆଦି ଙ୍କ ସମାଗମ ହୋଇଛି l ସ୍ଥାନୀୟ ଲୋକଙ୍କ ସଚେତନତାର ଅଭାବ ରହିଛି, ବନ ବିଭାଗ ତରଫରୁ ବିଦେଶା ଗତ ପକ୍ଷୀଙ୍କ ସୁରକ୍ଷା ପ୍ରତି ସଚେତନତା କାର୍ଯ୍ୟକ୍ରମ କଲେ ଲୋକଙ୍କ ଦୃଷ୍ଟି ଗୋଚରରେ ରହିବ ଯାହା ଦ୍ୱାରା ଶିକାରୀ ମାନେ ଶିକାରରୁ ଦୁରେଇ ରହିବେ l ଚଳିତ ବର୍ଷ ଆସିଥିବା ପକ୍ଷୀ ସୁରକ୍ଷିତ ଫେରିଲେ ପୁଣି ଆସନ୍ତା ବର୍ଷକୁ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ପରିବେଶବିତ ମାନେ ଆଶା ପ୍ରକଟ କରିଛନ୍ତି l

















