ବାଲିଗୁଡା,୨୩/୮(ଏଜେନସି) : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ସ୍ଥାନୀୟ ରାଧା କୃଷ୍ଣ ମନ୍ଦିର ଓ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ,ଏ ନେଇ ବିଦ୍ୟା ମନ୍ଦିର ପରିସର ମଧ୍ୟରେ ଏକ ସଭାର ଆୟୋଜନ ହୋଇଥିଲା, ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷକ ବିଜୟ କୁମାର ଗୌଡ଼ ଯୋଗ ଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ l ବିଦ୍ୟା ମନ୍ଦିରର ପ୍ରଧାନଆଚାର୍ଯ୍ୟ ନିରଞ୍ଜନ ଡାକୁଆ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବାବେଳ ଆଚାର୍ଯ୍ୟା ଚନ୍ଦ୍ରକାନ୍ତି ପାଣିଗ୍ରାହୀ ପରିଚାଳନା କରିଥିଲେ l ପରିଚାଳନା କମିଟିର ସହ ସମ୍ପାଦକ ଅନନ୍ତ କୁମାର ଦାସ, ଉପ ସଭାପତି ଦୁଃଖୀଶ୍ୟାମ ମହାରଣା ପ୍ରମୁଖ ଉପସ୍ଥିତ ରହି ଜନ୍ମାଷ୍ଟମୀ ଉତ୍ସବ ପାଳନର ମହତ୍ତ୍ୱ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ l ପରେ ଅନୁଷ୍ଠାନର ୯୯ ଜଣ ଛାତ୍ର ଛାତ୍ରୀ କୃଷ୍ଣ, ରାଧା, ବଳରାମ, ଓ ସୁଦାମ ବେଶରେ ସଜ୍ଜିତ ହେବା ପରେ ବନ୍ଦlପନା କରାଯାଇ ରାଧାକୃଷ୍ଣ ଦୋଳିରେ ଝୁଲା ଯାଇଥିଲା ଏହା ପରେ ବେଶ ଧାରୀ ଛାତ୍ର ଛାତ୍ରୀ ମାନଙ୍କୁ ସମଗ୍ର ସହର ସହ ଜଗନ୍ନାଥ ଓ ରାଧାକୃଷ୍ଣ ମନ୍ଦିର ପରିକ୍ରମା କରାଯାଇଥିଲା l ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ l ଶେଷରେ ଆଚାର୍ଯ୍ୟା ମମତା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ l
















