
ମାଲକାନଗିରି,୨୨/୮(ଏଜେନସି) : ବିଦାୟ ବେଳେ ଏସ୍ପିଙ୍କୁ କାନ୍ଧରେ ବସାଇ ଶୋଭାଯାତ୍ରା। ପୁଲିସ୍ ଅଫିସରଙ୍କ ପ୍ରତି ଏଭଳି ଭଲ ପାଇବା ଦେଖିଲେ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ। ହେଲେ ଘଟଣା ଟି ସତ। ମାଲକାନଗିରିରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।ମାଲକାନଗିରିର ଏସ୍ପି ଥିବା ଜଗମୋହନ ମୀନାଙ୍କର ବଦଳି ହୋଇଛି। ଜିଲ୍ଲା ଛାଡ଼ିବା ପୂର୍ବରୁ ଏସ୍ପିଙ୍କ ଉଦ୍ଦେଶ୍ୟରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ହୋଇଥିଲା। ସଭାରେ ଯୋଗଦେବା ଲାଗି ବିଦାୟୀ ଏସ୍ପି ଜଗମୋହନ ମୀନାଙ୍କୁ ତାଙ୍କ ଘର ପାଖରୁ ଯବାନମାନେ କାନ୍ଧରେ ବସାଇ ଏକ ଶୋଭାଯାତ୍ରା କରି ସଭାସ୍ଥଳୀକୁ ଆଣିଥିଲେ।କର୍ତ୍ତବ୍ୟରେ ହାକିମ୍ ଓ କର୍ମଚାରୀର ସମ୍ପର୍କକୁ ଭୁଲିଯାଇଥିଲେ ସମସ୍ତେ। ଏସ୍ପିଙ୍କୁ ବିଦାୟ ଦେବାବେଳେ ସମସ୍ତଙ୍କ ଆଖିରେ ଲୁହ ଆସି ଯାଇଥିଲା। ଏସ୍ପିଙ୍କ କାର୍ଯ୍ୟକାଳ ସମୟରେ ସାଧାରଣ ନିର୍ବାଚନ ହୋଇଥିଲେ ବି ଜିଲ୍ଲାରେ କୌଣସି ପ୍ରକାର ହିଂସା ଦେଖିବାକୁ ମିଳି ନ ଥିଲା। ମାଓ ଦମନ ହେଉ କି ଆଇନଶୃଙ୍ଖଳା, ଜଗମୋହନ ମୀନାଙ୍କ କାର୍ଯ୍ୟ ଦକ୍ଷତାକୁ ସମସ୍ତେ ପ୍ରଶଂସା କରିଛନ୍ତି।

















