ଜଗତସିଂହପୁର,୨୨/୮(ଏଜେନସି): ଗତକାଲି ବିଳମ୍ବିତ ରାତିରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରେ ଘଟିଛି ଅଭାବନୀୟ କାଣ୍ଡ। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ମଧ୍ୟ ରାତ୍ରିରେ ହଠାତ୍ ପ୍ରସୂତୀ ବିଭାଗରେ ଥିବା ଏକ ବିଦ୍ୟୁତ୍ ବୋର୍ଡରୁ ନିଆଁ ବାହରିଥିଲା । ବିଦ୍ୟୁତ ତାର ପୋଡିଯାଇ ବିଦ୍ୟୁତ କାଟ ହେବା ସହ ସବୁ ଆଡ ଧୂଆଁମୟ ହୋଇ ଯାଇଥିଲା । ଏଥିରେ ବିଚଳିତ ହୋଇ ରୋଗୀ ଏବଂ ତାଙ୍କର ସଂପର୍କୀୟମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବାହାରକୁ ଚାଲିଆସିଥିଲେ। ବିଦ୍ୟୁତ ସଟ୍ ସର୍କିଟ ଯୋଗୁ ଏଭଳି ଘଟିଥିବାର ଅନୁମାନ କରାଯାଉଛି। ଏଥିରେ ଗୋଟିଏ ଫ୍ୟାନ ପୋଡ଼ିଯାଇଥିବା ଜଣାଯାଇଛି । ରାତି ପ୍ରାୟ ୨ଟା ବେଳେ ୱାଟର ଫ୍ରିଜ଼ର ନିକଟରେ ଖୁବ୍ ଜୋର୍ ରେ ଶବ୍ଦ ହେବା ସହ ବିଦ୍ୟୁତ ତାର ଜଳି ଯାଇଥିଲା। ଫଳରେ ସେଠାରେ ଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ପ୍ରାଣ ବିକଳରେ ତଳକୁ ପଳାଇ ଆସିଥିଲେ। ଏପରିକି ସଦ୍ୟଜାତ ଶିଶୁ ସହିତ ଅପରେସନ ହୋଇଥିବା ମା’ ଓ ଅନ୍ୟ ରୋଗୀ ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାହାରେ ଘଣ୍ଟା ଘଣ୍ଟା ଧରି ବସି ରହିଥିବାର ଦେଖିବାକୁ ମିଳିଥିଲା।
















