ଢେଙ୍କାନାଳ,୨୧/୮(ନରେନ୍ଦ୍ର ଜେନା) : କୋଲକାତାର ବିର୍ଲା ଇଣ୍ଡଷ୍ଟ୍ରିଆଲ ଆଣ୍ଡ ଟେକ୍ନୋଲୋଜିକାଲ ମ୍ୟୁଜିୟମ ପରିସରରେ ବୁଧବାର ଆୟୋଜିତ ପୂର୍ବ ଭାରତ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଭାଗନେଇ ଓଡିଶାକୁ ପ୍ରତିନିଧିତ୍ବ କରୁଥିବା କାନପୁରା କାମାକ୍ଷାନଗରର ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ଲଗାତାର ତୃତୀୟଥର ପାଇଁ ଜାତୀୟ ସ୍ତରକୁ ଉନ୍ନୀତ ହୋଇଛି। ଅନୁଷ୍ଠାନର ନାଟକ ସୃଷ୍ଟି-ନିଡସ୍ କେୟାର୍ ବିଚାରକ ମାନଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହେବା ସହ ଜାତୀୟ ବିଜ୍ଞାନ ନାଟକ ମହୋତ୍ସବରେ ଭାଗନେବା ପାଇଁ ମନୋନୀତ ହୋଇଛନ୍ତି। ଆସନ୍ତା ଜାନୁଆରୀ ୮ ଓ ୯ ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଜାତୀୟ ବିଜ୍ଞାନ ନାଟକ ମହୋତ୍ସବରେ ପୂର୍ବ ଭାରତକୁ ପ୍ରତିନିଧିତ୍ବ କରିବ। ନାଟ୍ୟକାର ଦିନେଶ ଦାସଙ୍କ ଦ୍ବାରା ରଚିତ ଓ ନିର୍ଦେଶିତ ଏହି ନାଟକରେ ବିଭିନ୍ନ ଭୂମିକାରେ ବିଜୟଲକ୍ଷ୍ମୀ ବିଶ୍ବାଳ, ଶର୍ମିଷ୍ଠା ପ୍ରଧାନ, ସସ୍ମିତା ଦେହୁରୀ, ସଙ୍ଗୀତା ବେହେରା, ସୋୟମ୍ ଶୁଭମ୍ ନନ୍ଦ, ଜଗନ୍ନାଥ ରାଉତ, ଯଶୋବନ୍ତ ଦେହୁରୀ, ଅବିନାଶ କୁମାର ସାହୁ ପ୍ରମୂଖ ଅଭିନୟ କରିଥିଲେ।ବିଦ୍ୟାଳୟର ଶିକ୍ଷୟିତ୍ରୀ କବିତା ରାଉତ, ସୁମିତ୍ରା ଜେନା, ଶିକ୍ଷକ ଧ୍ରୁବଚରଣ ସୁନ୍ଦରାୟ, ସମରେନ୍ଦ୍ର ନାୟକ ଏବଂ କର୍ମଚାରୀ ରବିନାରାୟଣ ରାଉତ ପ୍ରମୁଖ ଏହି ନାଟ୍ୟ ଦଳରେ ସାମିଲ ହୋଇଥିଲେ।
















