Friday, September 25, 2026
ADVERTISEMENT
Home ଆଞ୍ଚଳିକ ମୋଦି ସରକାରଙ୍କ ଜଙ୍ଗଲ ସଂରକ୍ଷଣ ନିୟମାବଳୀକୁ ଆଦିବାସୀମାନଙ୍କ ବିରୋଧ ।

ମୋଦି ସରକାରଙ୍କ ଜଙ୍ଗଲ ସଂରକ୍ଷଣ ନିୟମାବଳୀକୁ ଆଦିବାସୀମାନଙ୍କ ବିରୋଧ ।

148
ADVERTISEMENT

ଗୁମ୍ମା,୨୩/୧୧(ଋଷିକେଶ ବେହେରା):-କେନ୍ଦ୍ର ସରକାର ଦେଶୀ ବିଦେଶୀ କର୍ପୋରେଟ୍ କମ୍ପାନୀଙ୍କୁ ଜଙ୍ଗଲ ଦେବା ଉଦ୍ଦେଶ୍ୟରେ ଜଙ୍ଗଲ ସଂରକ୍ଷଣ ନିୟମାବଳୀ ୨୦୨୨ ଆଣିଛନ୍ତି ବୋଲି ଆଦିବାସୀମାନେ ଅଭିଯୋଗ କରିଛନ୍ତି । ଏହି ନିୟମ ଜରିଆରେ ସରକାର ଜଙ୍ଗଲ ମଧ୍ୟରେ ରହୁଥିବା ଦେଶର କୋଟି କୋଟି ଆଦିବାସୀ ଓ ପାରମ୍ପରିକ ବନଜୀବିଙ୍କ କଷ୍ଟାର୍ଜିତ ଜଙ୍ଗଲ ଅଧିକାରକୁ ଛଡାଇ ନେବା ସହ ଦେଶର ଜଙ୍ଗଲ ସମ୍ପଦକୁ କର୍ପୋରେଟଙ୍କ ହାତରେ ଟେକି ଦେବାକୁ ଯାଉଛନ୍ତି ବୋଲି ଅଖିଳ ଭାରତ କିଶାନ୍ ମଜଦୁର୍ ସଭା (ଏଆଇକେଏମଏସ୍) ପକ୍ଷରୁ କୁହାଯାଇଛି । ସଂଗଠନ ପକ୍ଷରୁ ଏହି ନିୟମାବଳୀକୁ ବିରୋଧ କରାଯିବା ସହ ଏହାକୁ ପ୍ରତ୍ୟାହାର କରିବା ଦାବିରେ ଦେଶସାରା କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ସଂଗଠନର ଗୁମ୍ମା ବ୍ଳକ୍ କମିଟି ପକ୍ଷରୁ ଗୁମ୍ମା ଠାରେ ଏକ ଶୋଭାଯାତ୍ରାର ଆୟୋଜନ ସହ ସ୍ଥାନୀୟ ତହସିଲ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଭାର ଜିଲ୍ଲା ସମ୍ପାଦକ କେଦାର ଶବର, କାଡୁକା ଶବର, କାରୁକା ଶବର, ସମ୍ଵରା ରଇତ, ମୁସୃଦା ଗମାଙ୍ଗଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇ ଲୋକଙ୍କ ଜଙ୍ଗଲ ଅଧିକାର ଦେବାରେ ବିଫଳ ମୋଦି ସରକାର ଆଜି ଦେଶୀ ବିଦେଶୀ କର୍ପୋରେଟମାନଙ୍କ ହାତରେ ଦେଶର ଲକ୍ଷ ଲକ୍ଷ ହେକ୍ଟର ଜଙ୍ଗଲ ସମ୍ପଦ ଟେକି ଦେବାକୁ ବସିଛି ବୋଲି କହିଥିଲେ । ଅତଏବ ଏଭଳି ଏକ ଆଦିବାସୀ ବିରୋଧୀ ଓ ପରିବେଶ ବିରୋଧୀ ନିୟମାବଳୀକୁ ପ୍ରତ୍ୟାହାର କରିବାକୁ ଜୋରଦାର ଆନ୍ଦୋଳନ କରିବାକୁ ଡାକରା ଦେଇଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ଏଆଇକେଏମଏସ୍ ଜିଲ୍ଲା ନେତୃବୃନ୍ଦଙ୍କ ସମେତ ଗୁମ୍ମା ବ୍ଳକର ବିଭିନ୍ନ ଗ୍ରାମରୁ ଶହ ଶହ ସଂଖ୍ୟାରେ ଆଦିବାସୀ ଓ ପାରମ୍ପରିକ ବନଜୀବି ଯୋଗ ଦେଇଥିଲେ । ଏହି ଅବସରରେ ବ୍ଳକର ଭୂମହୀନ ଓ ଗୃହହୀନ ଲୋକଙ୍କୁ ଜମି ଓ ଘରଡିହ ପଟ୍ଟା ପ୍ରଦାନ କରିବାକୁ ଦରଖାସ୍ତ ଦିଆଯାଇଥିଲା ।

Advertisement