Thursday, September 24, 2026
ADVERTISEMENT
Home ମୁଖ୍ୟ ଖବର ଜୀବନ ବିତୁଛି ପଲିଥିନ୍ ଘରେ ,ଆବାସ ଯୋଜନା କାହା ସ୍ବାର୍ଥରେ ?

ଜୀବନ ବିତୁଛି ପଲିଥିନ୍ ଘରେ ,ଆବାସ ଯୋଜନା କାହା ସ୍ବାର୍ଥରେ ?

358
ADVERTISEMENT

ଜଗତସିଂହପୁର,୧୭/୮(ଏଜେନସି): ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି । ହେଲେ କିଛି କୁଚକ୍ରୀ ନେତା ଓ ଅସାଧୁ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଥିଲାବାଲା ଲୋକ ଏହି ଯୋଜନା ଗୁଡିକ ହାତେଇ ନେଉଥିବା ବେଳେ ସାଧାରଣ ଗରୀବ ଲୋକମାନଙ୍କ ପାଇଁ ଏହି ଯୋଜନା ଗୁଡିକ ‘ଆକାଶ କଇଁଆ ଚିଲିକା ମାଛ’ ସଦୃଶ ଅପହଞ୍ଚ ପାଲଟିଛି । ଏହିପରି ଏକ ପରିବାର ତିର୍ତ୍ତୋଲ ବ୍ଳକ କନିମୂଳ ପଞ୍ଚାୟତ ସ୍ଥିତ ନାରିଜଙ୍ଗ ଗ୍ରାମରେ ଦେଖିବାକୁ ମିଳିଛି। ଉକ୍ତ ଗ୍ରାମରେ ସୁଷମା ଦାସ ନାମକ ଜଣେ ୮୫ବର୍ଷର ବିଧବା ମହିଳାଙ୍କ ପରିବାର ଦାରିଦ୍ରତାର ପଶାଘାତରେ ଜର୍ଜରିତ ହୋଇ ବହୁ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି । ଏପରିକି ଅର୍ଥାଭାବରୁ ଦୁଇଟି ବଢ଼ିଲା ଝିଅଙ୍କୁ ମଧ୍ୟ ବିବାହ ଦେଇପାରିନାହାଁନ୍ତି ।ପିନ୍ଧିବାକୁ ବସ୍ତ୍ର ଓ ପେଟକୁ ଦୁଇଓଳି ଦୁଇମୁଠା ଖାଦ୍ୟ ଯୋଗାଡ କରିବା ତାଙ୍କପାଇଁ ହୋଇଛି କଷ୍ଟସାଧ୍ୟ । ଏମିତିକି ଆର୍ଥିକ ଅନାଟନ ଯୋଗୁଁ ଦୁଇବର୍ଷ ହେବ ଛପର ହୋଇନଥିବା ଏକ ଅର୍ଧଭଙ୍ଗା ଘର ଉପରେ ଛିଣ୍ଡା ପଲିଥିନ୍ ପକାଇ ଜିବନ ବିତାଉଛନ୍ତି । ଏପରିକି ବର୍ଷା ହେଲେ ଏହି ଘରେ ପାଣି ଛିଡା ହେଉଛି ଯାହାକି ଚୁଲି ଜାଳି ରୋଷେଇ କରି ଗଣ୍ଡେ ଖାଇବା ମଧ୍ୟ କଷ୍ଟକର ହୋଇପଡୁଛି ବୋଲି ସେ ଦୁଃଖଭରା କଣ୍ଠରେ ପ୍ରକାଶ କରିଛନ୍ତି । ଏଭଳି ଆର୍ଥିକ ଅନାଟନ ଭିତରେ ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କା ଘରଟିଏ କରିବା ତାଙ୍କପାଇଁ ପାଲଟିଛି ଆକାଶ କଇଁଆ ଚିଲିକା ମାଛ ସଦୃଶ । ସରକାରଙ୍କ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ପ୍ରଶାସନ ନିକଟରେ ଅକାଧିକ ବାର ଆବେଦନ କରି ବହୁବାର ବ୍ଲକ ପ୍ରଶାସନ ନିକଟକୁ ଦୌଡା ଦୌଡ଼ି କରି ନିରାଶ ହେବା ପରେ ସେ ଏକ ରକମ ଭାଙ୍ଗିପଡିଛନ୍ତି । ତଥାପି ମୁଣ୍ଡ ଗୁଞ୍ଜିବା ପାଇଁ ୨ବର୍ଷ ହେବ ଛପର ହୋଇନଥିବା ଭଙ୍ଗା ଚାଳଘର ଉପରେ ଛିଣ୍ଡା ପଲିଥିନ୍ ପକାଇ ଗାଈ ଗୋରୁଙ୍କ ମେଳରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦିନ କାଟୁଥିଲେ । କିନ୍ତୁ ଚଳିତ ବର୍ଷା ପବନ ସମୟରେ ତାଙ୍କର ସେଇ ଛିଣ୍ଡା ପଲିଥିନ୍ ପକା ଚାଳଘରଟି ଭାଙ୍ଗି ପଡିବାରୁ ବୃଦ୍ଧା ସୁଷମା ଓ (ଅର୍ଥାଭାବରୁ ବାହାହୋଇ ପାରିନଥିବା) ତାଙ୍କର ଝିଅ ବର୍ଷାରେ ଜୁଡୁପୁଡୁ ଓଦା ହୋଇ ଭଙ୍ଗାଘରକୁ ସଜାଡି ଛିଣ୍ଡା ପଲିଥିନ୍ ପକାଇବାରେ ଲାଗିପଡିଥିଲେ । ଏପରିକି ପ୍ରଶାସନ ପକ୍ଷରୁ ତାଙ୍କୁ ଏପର୍ଯ୍ୟନ୍ତ ପଲିଥିନଟିଏ ମଧ୍ୟ ମିଳିପାରିଲା ନାହିଁ । ଏବେବି ସେ ପ୍ରଶାସନ ପକ୍ଷରୁ ଆବାସ ଯୋଜନାରେ ଘରଖଣ୍ଡେ ପାଇବା ପାଇଁ ଆଶାବାନ୍ଧି ରହିଛନ୍ତି । ଏସମ୍ପର୍କରେ ଉକ୍ତ ପଞ୍ଚାୟତର ସରପଞ୍ଚ ବେଦଦ୍ୟୁତି ପୃଷ୍ଟିଙ୍କୁ ପଚାରିବାରୁ ସେ କୁହନ୍ତି ସୁଷମା ଦାସ ଆବାସ ଯୋଜନାରେ ଘର ପାଇବା ପାଇଁ ଯୋଗ୍ୟ ବ୍ୟକ୍ତି ଅଟନ୍ତି।ତାଙ୍କୁ ପ୍ରଶାସନ ତରଫରୁ ଏହି ସହାୟତା ନମିଳିବା ଏକ ପ୍ରଶ୍ନବାଚୀ।ଅପରପକ୍ଷରେ ଉକ୍ତ ୮୫ବର୍ଷୀୟ ବୃଦ୍ଧା ମହିଳା ସୁଷମାଙ୍କୁ ସରକାରଙ୍କ ଆବାସ ଯୋଜନାରେ ସହାୟତା ନମିଳିଲେ ସେ ନିଜର ଦୁଇ ଅବିବାହିତ ଝିଅଙ୍କ ସହିତ ତିର୍ତ୍ତୋଲ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଲିଖିତ ଅଭିଯୋଗ କରିଛନ୍ତି।

Advertisement