ବ୍ରହ୍ମପୁର,୨୨/୫(ଇ. ରଞ୍ଜନ):-ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଶକ୍ତିପୀଠ ମାଁ ତାରାତାରିଣୀଙ୍କ ଗସ୍ତରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅପରାହ୍ନ ପ୍ରାୟ ଚାରି ଘଣ୍ଟା ସମୟରେ ଏଠାରେ ପହଂଚି ମା’ଙ୍କ ସନ୍ଧ୍ୟା ଦର୍ଶନ ଭକ୍ତଙ୍କ ଗହଣରେ କରିଥିଲେ l ତେବେ ସେ ମାଙ୍କ ଦର୍ଶନ ନିମନ୍ତେ କୌଣସି ଯାନରେ ନ ଆସି ପାଦରେ ଚାଲି ଚାଲି ଆସିବାକୁ ଶ୍ରେୟ ମଣିବା ସହିତ ପାହାଡ଼ର ଶୀର୍ଷ ଦେଶରେ ଅବସ୍ଥିତ ମନ୍ଦିରକୁ ଯାଇ ମା’ଙ୍କ ଆଶ୍ରିବାଦ ଲାଭ କରିବା ପାଇଁ ସାଷ୍ଟାଙ୍ଗ ପ୍ରଣିପାତ ହୋଇଥିଲେ l ସେ ସମସ୍ତ ପ୍ରକାର ସକାରାତ୍ମକ ଚିନ୍ତାଧାରା ନେଇ ଆସିଥିବାରୁ ବେଶ ଖୁସି ବୋଲି ଗଣମାଧ୍ୟମ ନିକଟରେ ପ୍ରକାଶ କରିବା ସହିତ ସମସ୍ତ ରାଜ୍ୟ ବାସୀଙ୍କର ସୁଖ, ସମୃଦ୍ଧି, ସ୍ୱାସ୍ଥ୍ୟର ଉନ୍ନତି ଓ ମଙ୍ଗଳ କାମନା କରି ମା’ଙ୍କ ନିକଟରେ ପ୍ରାର୍ଥନା କରିଥିଲେ l ତେବେ ମନ୍ଦିର ନିକଟରେ ନାମ, କୀର୍ତନ, ଯଂଜ୍ଞ ଇତ୍ୟାଦି ଧାର୍ମିକ କାର୍ଯ୍ୟ ମାନ ଲାଗି ରହି ଥିବାରୁ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗି ରହିଥିଲା l କରୋନା କାରଣରୁ ଦୀର୍ଘ ଦିନ ପରେ ଏହି ଉତ୍ସବର ଆୟୋଜନ କରାଯାଉ ଥିବାରୁ ଭକ୍ତ ମହଲରେ ଆନନ୍ଦର ଲହରୀ ଖେଳି ଯାଇଥିଲା l ସେହିପରି ଦୀର୍ଘ ୧୫ ବର୍ଷର ବ୍ୟବଧାନ ପରେ ଭୁବନେଶ୍ୱର ସାଂସଦ ଅପରାଜିତା ମାଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ସୁଯୋଗ ପାଇ ଥିବାରୁ ବେଶ ଖୁସି ଅନୁଭବ କରିବା ସହିତ ଭାବ ବିହ୍ଵଳ ହୋଇ ଯାଇଥିଲେ l କହିବାକୁ ଗଲେ ମନ୍ଦିର ଚତୁପାର୍ଶ୍ଵରେ ସୃଷ୍ଟି ହୋଇ ଥିଲା ଏକ ପ୍ରକାର ଆଧ୍ୟାତ୍ମିକ ମୟ ପରିବେଶ l ତେବେ ସାଂସଦଙ୍କ ସହ ବହୁ ସଂଖ୍ୟାରେ ଦଳୀୟ କର୍ମୀ, ବିଭିନ୍ନ ସାମାଜିକ ସଂଗଠନ ଓ ଜନସାଧାରଣ ଯୋଗ ଦେଇଥିଲେ l ଏହି ଉତ୍ସବର ମାହୋଲ ଭିତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା, ତାହା ହେଉଛି ପ୍ରଶାସନ ତରଫରୁ ପାହାଡ଼ ଉପରେ ଥିବା ମନ୍ଦିର ନିକଟକୁ ଯିବା ପାଇଁ ସାଧାରଣ ଜନତାଙ୍କୁ ସିଟି ବସ ସେବା ଯୋଗାଇ ଦିଆ ଯାଇଥିବା ବେଳେ ଟିକେଟର ମୂଲ୍ୟ ସରକାରୀ ଭାବେ ଧାର୍ଯ୍ୟ ମୂଲ୍ୟ ଠାରୁ ବହୁ ଗୁଣ ଅଧିକ ଥିବାରୁ କିଛି ଯାତ୍ରୀ ଏହାକୁ ତୀବ୍ର ବିରୋଧ କରୁଥିଲେ l ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯିବା ସହିତ ସାଧାରଣ ଜନତାଙ୍କ ପାଇଁ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି l

















