ରାୟଗଡ଼ା ସୀମାରେ ମାଓବାଦୀଙ୍କ ପ୍ରଜାମେଳି

322
ADVERTISEMENT

ରାୟଗଡ଼ା,୧୫/୮ (ଏଜେନସି) : କିଛି ଦିନର ନିରବତା ପରେ ପୁଣି ରାୟଗଡ଼ା ମୁହାଁ ହୋଇଛନ୍ତି ମାଓବାଦୀ । ସଂଗଠନ ସଜାଡ଼ିବା ପାଇଁ ଆରମ୍ଭ କରିଛନ୍ତି ସଭ୍ୟସଂଗ୍ରହ ଅଭିଯାନ। ଜିଲ୍ଲାର ଗୁଡାରି-ଚନ୍ଦ୍ରପୁର ସୀମାନ୍ତରେ ପ୍ରଜାମେଳି କରି ଲୋକଙ୍କୁ ନିଜ ସପକ୍ଷରେ ପ୍ରବର୍ତାଇବାକୁ ଉଦ୍ୟମ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଗୁଡାରି ଥାନାରୁ ୩୫ କିମି ଦୂର ଘଞ୍ଚ ଜଂଗଲକୁ ଲାଗିଥିବା ଟାଙ୍ଗରମା ଗ୍ରାମରେ ମାଓବାଦୀ ପ୍ରଜାମେଳିର ଆୟୋଜନ କରିଥିଲେ । ପ୍ରଥମେ ଗୁପ୍ତ ବୈଠକ କରିବା ପରେ ମାଓବାଦୀ ପ୍ରଜାମେଳିରେ ଗ୍ରାମବାସୀଙ୍କୁ ଭେଟି ସଂଗଠନରେ ସାମିଲ୍ ହେବା ଲାଗି ଆହ୍ବାନ ଦେଇଥିଲେ । କିନ୍ତୁ ଗ୍ରାମବାସୀଙ୍କ ପକ୍ଷରୁ ମାଓ ସଂଗଠନକୁ ପୂର୍ବ ଭଳି ସହାନୁଭୂତି ମିଳିନଥିବା ଜଣାପଡିଛି। ମାଓବାଦୀଙ୍କ ଗତିବିଧି ଓ ବୈଠକ ସଂପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ସିଆରପିଏଫ୍ ପକ୍ଷରୁ କମ୍ବିଂ ଅପରେସନ୍ ଆରମ୍ଭ ହୋଇଥିଲା। କିନ୍ତୁ ପ୍ରଜାମେଳି ଓ ମାଓବାଦୀ ଆଡ୍ଡା ଜମାଇଥିବା ସ୍ଥାନକୁ ଯିବା ପାଇଁ ଏକ ମୁହାଁ ରାସ୍ତା ଥିବାରୁ ଆମ୍ବୁସ୍ ଭୟରେ ଯବାନ ଆଗକୁ ବଢ଼ି ପାରିନଥିଲେ। ସେହିପରି ସୂଚନା ମିଳିବାରେ ବିଳମ୍ବ ଯୋଗୁ ମାଓବାଦୀ ଖସିଯିବାରେ ସକ୍ଷମ ହୋଇଥିଲେ ବୋଲି ସିଆରପିଏଫ୍ ଅଧିକାରୀ ପ୍ରକାଶ କରିଛନ୍ତି ।

Advertisement