ଖରସ୍ରୋତାରେ ଡଙ୍ଗା ବୁଡ଼ିଲା, ଅଳ୍ପକେ ବର୍ତିଲେ ୩୦ ଛାତ୍ରଛାତ୍ରୀ

338
ADVERTISEMENT

କେନ୍ଦ୍ରାପଡା ,୧୫/୮ (ଏଜେନସି) : ଆଳି ବ୍ଲକ ମଧୁବନ ନିକଟ ଖରସ୍ରୋତା ନଈରେ ଡଙ୍ଗା ବୁଡ଼ିଯାଇଛି। କିନ୍ତୁ ସୌଭାଗ୍ୟକ୍ରମେ ଏଥିରେ ଥିବା ୩୦ ଜଣ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ, କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ମଧୁବନ ଗ୍ରାମର ୫୦ରୁ ଅଧିକ ଛାତ୍ରଛାତ୍ରୀ ଯାଜପୁର ଜିଲ୍ଲା, ବିଂଝାରପୁର ବ୍ଲକର ଜରି ବିସିଜେ ହାଇସ୍କୁଲ ଓ ଜଗନ୍ନାଥ ପ୍ରସାଦ ୟୁପି ସ୍କୁଲରେ ପଢିବା ପାଇଁ ଉକ୍ତ ଡଙ୍ଗାରେ ଯାତାୟତ କରନ୍ତି। ଆଜି ସକାଳ ପ୍ରାୟ ସାଢେ ୯ଟାରେ ସ୍କୁଲ ଯିବା ପାଇଁ ୩୦ରୁ ଅଧିକ ଛାତ୍ରଛାତ୍ରୀ ଡଙ୍ଗାରେ ବସିଥିଲେ। ଜରୁରି କାମରେ ଯାଉଥିବା ୪/୫ ଜଣ ଯାତ୍ରୀ ମଧ୍ୟ ଡଙ୍ଗାରେ ଚଢି ଯାଇଥିଲେ । ଏହି ଦଦରା ଡଙ୍ଗାଟି ଜରି-ମଧୁବନ ଘାଟରୁ କୂଳ ଛାଡି ମାତ୍ର ୩୦ ଫୁଟ ଦୂରକୁ ଯିବା ପରେ ଭାରସାମ୍ୟ ହରାଇ ଓଲଟି ପଡ଼ି ନଦୀରେ ବୁଡ଼ିଯାଇଥିଲା। ଛାତ୍ରଛାତ୍ରୀ ଚିତ୍କାର କରିବାରୁ ଗ୍ରାମବାସୀ ନଦୀରେ ପଶି ପିଲାମାନଙ୍କୁ ଉଦ୍ଧାର କରିଥିଲେ । କେତେକ ଛାତ୍ରଛାତ୍ରୀ ପହଁରି ପହଁରି କୂଳରେ ପହଞ୍ଚିଥିଲେ। ଦୁର୍ଘଟଣା ଖବର ପାଇ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ଆଳି ତହସିଲଦାର ଜୟନ୍ତ ପୃଷ୍ଟି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଦୁର୍ବଳ ଓ ଛୋଟ ଡଙ୍ଗାରେ ଆବଶ୍ୟକଠାରୁ ଅଧିକ ଯାତ୍ରୀ ଚଢିଯିବାରୁ ଦୁର୍ଘଟଣା ଘଟିଲା ବୋଲି ତହସିଲଦାର ଶ୍ରୀ ପୃଷ୍ଟି କହିଛନ୍ତି । ଅଷ୍ଟମ ଶ୍ରେଣୀର ଛାତ୍ରୀ ସୋନାଲି ମଲିକ, ଷଷ୍ଠ ଶ୍ରେଣୀର ସୁଶୀଲ ମଲିକ, ଅନନ୍ତ ମଲିକ, ରୂପାଲି ମଲିକ ଓ ସପ୍ତମ ଖ୍ନେଣୀର ଛାତ୍ର ସତ୍ୟରଂଜନ ମଲିକ ପ୍ରମୁଖ କହିଛନ୍ତି ଯେ, ହଠାତ ପାଣି ପଶିଯିବାରୁ ଡ଼ଙ୍ଗା ଓଲଟି ପଡ଼ିଥିଲା। ଚିତ୍କାର କରିବାରୁ ଗାଁ ଲୋକମାନେ ପହଞ୍ଚି ଉଦ୍ଧାର କରିଥିଲେ ।

Advertisement